ନଭେମ୍ବର ୧୬ ତାରିଖରେ ଓଡ଼ିଶା ବିଧାନସଭାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକମାନଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ କଂଗ୍ରେସ ବୟକଟ୍ କରିବ। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ ସୂଚନା ଦେବା ସହ ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ମଧ୍ୟ ଏହି କାର୍ଯ୍ୟକ୍ରମ ବୟକଟ୍ କରିବାକୁ ଆହ୍ୱାନ ଦେଇଛନ୍ତି।
ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଭକ୍ତ ଦାସ କହିଛନ୍ତି ଯେ, “ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ପଦବୀ ଏବଂ ଏହି ପଦବୀ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାରରେ ବିଧାୟକମାନଙ୍କର କୌଣସି ସମ୍ମାନ ନାହିଁ । ତେଣୁ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିବା ନିହାତି ଦରକାର ।”
ଏହାସହ ବିଜେପି ବିଧାୟକମାନଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ, ବିରୋଧୀ ଦଳର ବିଧାୟକମାନେ ବିଧାନସଭା କାର୍ଯ୍ୟରେ ଭଲ ଭାବେ ତାଲିମପ୍ରାପ୍ତ ଅଛନ୍ତି, ବରଂ ବିଜେପି ବିଧାୟକମାନଙ୍କୁ ହିଁ ପ୍ରକୃତରେ ଟ୍ରେନିଂର ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଓଡ଼ିଶା ଗସ୍ତରେ ଆସି ବିଧାନସଭାର ନବନିର୍ବାଚିତ ଓ ଅନ୍ୟ ବିଧାୟକମାନଙ୍କ ପାଇଁ ଆୟୋଜିତ ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ କାର୍ଯ୍ୟକ୍ରମ ପୂର୍ବରୁ କଂଗ୍ରେସର ଏହି ବୟକଟ୍ ନିଷ୍ପତ୍ତି ରାଜ୍ୟ ରାଜନୀତିକୁ ସରଗରମ କରିଛି ।
