ରଣପୁର, ୧/୮: ଜଳବାୟୁ ପରିବର୍ତ୍ତନ ଓ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତାକୁ ସାମ୍ନାକୁ ଆଣି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାରା ରାଜ୍ୟରେ ଚାଲିଥିବା ବୃକ୍ଷରୋପଣ ଅଭିଯାନର ଅଂଶ ସ୍ୱରୂପ ଶନିବାର ରଣପୁରରେ ଏକ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ସମ୍ବାଦ ସାହିତ୍ୟ ଘରର ଆବାହକ ବିଶ୍ୱରଞ୍ଜନ ଆଚାର୍ଯ୍ୟଙ୍କ ଆହ୍ୱାନକ୍ରମେ ସକାଳ ୧୦ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରଣପୁର ବନାଞ୍ଚଳ ଅଧିକାରୀ ସିଧୁ ଚରଣ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ। ବନପାଳ ଓ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଆଇନଜୀବୀ ଉମାକାନ୍ତ ଦାସ, ସମ୍ପାଦକ ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାଶ, କୋଷାଧ୍ୟକ୍ଷ ଶୁଭେନ୍ଦୁ ସିଂ ଦେଓ, ରଣପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପ୍ରସାଦ ମଲ୍ଲିକ, ବିଭୁ ପ୍ରସାଦ ସାମନ୍ତରାୟ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ଗଦାଧର ବେହୁରା, ପ୍ରାଣନାଥ ବେହେରାଙ୍କ ସମେତ କଳିଙ୍ଗ ଲୋଟସ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।

ବନ ବିଭାଗ ପକ୍ଷରୁ ୫୦ଟି ବୃକ୍ଷଚାରା ପ୍ରଦାନ କରାଯାଇଥିବା ବେଳେ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ମଧ୍ୟ ନିଜ ଘରୁ ଗୋଟିଏ ଲେଖାଏଁ ଚାରା ଆଣି ରୋପଣ କରିଥିଲେ। ପ୍ରଥମେ କଳିଙ୍ଗ ଲୋଟସ ବିଦ୍ୟାଳୟ ପରିସରରେ ଏବଂ ପରେ ରଣପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଉ ୫୦ଟି ବୃକ୍ଷଚାରା ରୋପଣ କରାଯାଇଥିଲା। ବକ୍ତାମାନେ କହିଥିଲେ, “ଗୋଟିଏ ବୃକ୍ଷ ଗୋଟିଏ ଜୀବନ”। ପ୍ରକୃତିର ସନ୍ତୁଳନ ରକ୍ଷା ଓ ଆଗାମୀ ପିଢ଼ିକୁ ସବୁଜ ପୃଥିବୀ ଉପହାର ଦେବା ପାଇଁ ସମସ୍ତଙ୍କୁ ବୃକ୍ଷରୋପଣ ସହ ବୃକ୍ଷର ସୁରକ୍ଷା କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ। ରଣପୁର ସମ୍ବାଦ ସାହିତ୍ୟ ଘର ପରିବାରର ଏହି ସାମାଜିକ ଓ ପରିବେଶ ସଚେତନତାମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।
