ସାଂପ୍ରତିକ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଭି. କେ. ପାଣ୍ଡିଆନ ୨୦୨୪ ବିଧାନସଭା କି ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି । କିଛିଦିନ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଭାରତୀୟ ପ୍ରଶାସନିକ ସେବାର ଏହି ପୂର୍ବତନ ଅଧିକାରୀ ଗତ କିଛି ବର୍ଷ ମଧ୍ୟରେ ଅତ୍ୟନ୍ତ ପ୍ରଭାବଶାଳୀ ଅଫିସର ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦର ଅଫିସର ହୋଇଥିବାରୁ ତାଙ୍କୁ ପ୍ରଥମେ ବ୍ୟକ୍ତିଗତ ସଚିବ ଏବଂ ପରେ ତିଆରି କରାଯାଇଥିବା ସ୍ୱତନ୍ତ୍ର ବିଭାଗ ୫ଟି ର ସଚିବ ହୋଇଥିଲେ । ସଚିବ ନୁହେଁ, ବରଂ ସେ ଛାୟା ମୁଖ୍ୟମନ୍ତ୍ରୀ ବୋଲି ବିଧାୟକ, ମନ୍ତ୍ରୀ, ଏପରିକି ଓଡିଶାର ଜନସାଧାରଣ ମଧ୍ୟ ବିଶ୍ୱାସ କରୁଥିଲେ । ସେ ହିଁ ସରକାରଙ୍କ ପ୍ରକୃତ କ୍ଷମତାକେନ୍ଦ୍ର ଥିଲେ । ଉଭୟ ସରକାର ଓ ବିଜେଡି ଦଳର ସର୍ବେସର୍ବା ବୋଲାଉଥିବା ପାଣ୍ଡିଆନ ବାବୁ ବହୁତ ସମାଲୋଚନାର ଶରବ୍ୟ ହେବା ପରେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତାଙ୍କର ଅବସର ଆବେଦନକୁ କେନ୍ଦ୍ର ସରକାର ମାତ୍ର ତିନି ଦିନରେ ଅନୁମୋଦନ କରିଦେଇ ପରୋକ୍ଷରେ ସେ ହିଁ ବିଜେଡି ଦଳ ଓ ସରକାରଙ୍କ ପ୍ରକୃତ କ୍ଷମତାକେନ୍ଦ୍ର ବୋଲି ପ୍ରମାଣିତ କରିଦେଇଥିଲେ । ଚାକିରିରୁ ଅବସର ନେବାର କେଇ ଘଣ୍ଟା ମଧ୍ୟରେ ସେ ପୂର୍ବରୁ ସଚିବ ଥିବା ୫ଟି ବିଭାଗର ଅଧ୍ୟକ୍ଷ (କ୍ୟାବିନେଟ ପାହ୍ୟା) ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ହେଲେ । ୟା’ପରେ ସେ ନିଶ୍ଚିତ ରାଜନୀତି କରିବେ ବୋଲି ରାଜନୈତିକ ବ୍ୟକ୍ତିବିଶେଷ ଏବଂ ସାଧାରଣ ଜନତା ଆଲୋଚନା କଲେ । କିନ୍ତୁ ୧୫ ଡିସେମ୍ବର ଦିନ ବିଜେଡି ପକ୍ଷରୁ ଦଳୀୟ ଉପସଭାପତି ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଘୋଷଣା କରି କହିଥିଲେ କି ଭି.କେ ପାଣ୍ଡିଆନ ୨୦୨୪ ର କୈାଣସି ନିର୍ବାଚନ ଲଢ଼ିବେ ନାହିଁ । ସେକଥାକୁ ସହସା ନିଜେ ପାଣ୍ଡିଆନ ବାବୁ ମଧ୍ୟ ସମର୍ଥନ କରି କହିଥିଲେ କି ସେ ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ପାଣ୍ଡିଆନଙ୍କ ଏହି ନିର୍ବାଚନ ନ ଲଢ଼ିବାର ବଡ଼ ଘୋଷଣା ଭୁବନେଶ୍ୱର ସମେତ ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି । ଅନେକ ଏହାକୁ ପାଣ୍ଡିଆନଙ୍କ ମାଷ୍ଟରଷ୍ଟ୍ରୋକ ବୋଲି କହୁଛନ୍ତି । ନିଜ ବିଜେଡି ଦଳ ଓ ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳ ପାଇଁ ଏହା ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଚକମା ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି । କିନ୍ତୁ ଆମ ମତରେ ଏହା ପାଣ୍ଡିଆନ ବାବୁଙ୍କ ନିର୍ବାଚନ ଲଢ଼ିଲେ ହାରିବା ଡର ବୋଲି ଅନୁମାନ କରୁଛୁ । ନିର୍ବାଚନ ନ ଲଢ଼ିବା ଘୋଷଣାର ଠିକ୍ ଦିନକ ପୂର୍ବରୁ ଖୋଲାକଥାରେ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ବିସ୍ଫୋରକ ବୟାନର ପରିଣାମ ବୋଲି କୁହାଯାଇପାରେ । ନିର୍ବାଚନ ଲଢିଲେ ନିଶ୍ଚିତ ହାରିବେ ବୋଲି ଖୋଲାକଥାରେ ଏକଦମ୍ ଚ୍ୟାଲେଞ୍ଜ କରି କହିଥିଲେ ଖାରବେଳ ବାବୁ । ଏପରିକି ହାରିବା ନିଶ୍ଚିତ ବୋଲି ଲେଖିକି ରଖନ୍ତୁ ବୋଲି ଦମ୍ଭୋକ୍ତି ଦେଖାଇ କହିଥିଲେ ଖାରବେଳ ସ୍ୱାଇଁ । ଏପରି ସ୍ପଷ୍ଟ ଚ୍ୟାଲେଞ୍ଜ ଦେବା ପରଦିନ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ପାଣ୍ଡିଆନ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢ଼େଇ କରୁନାହିଁ । ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରକୃତରେ ପାଣ୍ଡିଆନ ବାବୁ ବିଜେଡି ଦଳକୁ ଅଧିକ ସଂଘଟିତ କରିବା ଚକ୍କରରେ ନିର୍ବାଚନ ଲଢୁନାହାନ୍ତି ନା ଖାରବେଳଙ୍କ ସ୍ପଷ୍ଟ ଚ୍ୟାଲେଞ୍ଜ୍ରେ ଭୟଭୀତ ହୋଇ ନିର୍ବାଚନରୁ ଦୂରେଇବାକୁ ମନସ୍ଥ କରିଛନ୍ତି । ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସେଥିରେ ଖାରବେଳ ସ୍ୱାଇଁ ପାଣି ପକେଇ ପାଣିଚିଆ କରିଦେଲେ । ତେଣୁ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି । ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ଏବେ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ । ସେ ପୁଣି କହିଛନ୍ତି ଯେ, ଯଦି ପାଣ୍ଡିଆନ ଚାହିଁବେ ତେବେ ସେ ନିର୍ବାଚନରେ ଲଢ଼େଇ କରିପାରିବେ । କାରଣ ଯେହେତୁ ସେ ବର୍ତ୍ତମାନ ଆଇଏଏସ ଚାକିରୀ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । କିନ୍ତୁ ସେ ଏଥର ନିର୍ବାଚନରେ ଲଢ଼େଇ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାରା ରାଜ୍ୟରେ ତ୍ୱରାନ୍ୱିତ କରିବା ସହିତ ଦଳକୁ ଆହୁରି ମଜଭୁତ କରିବେ ବୋଲି ଦେବୀ କହିଛନ୍ତି । ପ୍ରକୃତ କଥା ଆଉ କିଛି ଅଲଗା ହୋଇପାରେ । ଖାରବେଳ ସ୍ୱାଇଁଙ୍କ ଚେତାବନୀ ବିଜେଡି ଲୋକ ହିଁ ପାଣ୍ଡିଆନଙ୍କୁ ହରେଇଦେବେ ଏହି କଥାପଦିକ ହିଁ ପାଣ୍ଡିଆନଙ୍କୁ ନିର୍ବାଚନ ଲଢ଼ିବାରୁ ଦୂରେଇ ରଖିଲା । ତେବେ ହାରିବାର ଭୟ ଲାଗି ନା ମଜଭୁତ୍ ବିଜେଡି ସଂଗଠନ ଲାଗି ପାଣ୍ଡିଆନ ବାବୁ ନିର୍ବାଚନ ନ ଲଢ଼ିବାକୁ ମନସ୍ଥ କଲେ ଏକଥା ସମୟ କହିବ ।
କୈଳାସ ଚନ୍ଦ୍ର ଶତପଥି
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
