ରଣପୁର, ୧୮/୧୦: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ରଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍କୁ ଭୁବନେଶ୍ୱରର ପଟିଆସ୍ଥିତ ଭେଙ୍କେଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରୁ ଗୁରୁବାର ରାତିରେ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣକ ସେଠାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତେବେ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନେ ଏବେ ବି ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
ସୂଚନା ଅନୁଯାୟୀ, ରଣପୁର ସୁଆଁସିଆ ସାହିର ବାସିନ୍ଦା ତଥା ଫକୀର ଖଟେଇଙ୍କ ପୁଅ ଚିତ୍ତରଞ୍ଜନ ଖଟେଇ ଓରଫ ଜିତେନ୍ ଓ ତାଙ୍କର କିଛି ସହଯୋଗୀ ଗତ ସେପ୍ଟେମ୍ବର ୧୫ ତାରିଖରେ ରଣପୁର ଅଞ୍ଚଳର ଯୁବ ସାମ୍ବାଦିକ ମଧୁସୂଦନ ପରିଡ଼ାଙ୍କୁ ରାସନ ସାମଗ୍ରୀ କିଣୁଥିବା ସମୟରେ ପଛପଟୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଦିନଦ୍ୱିପ୍ରହରରେ ଘଟିଥିବା ଏହି ଆକ୍ରମଣରେ ସାମ୍ବାଦିକ ଶ୍ରୀ ପରିଡ଼ା ଗୁରୁତର ଆହତ ହୋଇଥିଲେ। ତାଙ୍କୁ ୧୧୨ ପୋଲିସ ସହାୟତାରେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଶଯ୍ୟା ନମିଳିବାରୁ ସମ୍ ହସ୍ପିଟାଲରେ ଦୀର୍ଘ ପ୍ରାୟ ୨୦ ଦିନ ଧରି ତାଙ୍କର ଚିକିତ୍ସା ଚାଲିଥିଲା।
ଏହି ଘଟଣାକୁ ନେଇ ରଣପୁର ଥାନାରେ ୧୭ ସେପ୍ଟେମ୍ବରରେ କେସ୍ ନମ୍ବର ୩୧୦/୨୬ରେ ମାମଲା ରୁଜୁ ହୋଇଥିଲା। ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ନେତୃତ୍ୱରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ଭୁବନେଶ୍ୱର ପଟିଆରୁ ଜିତେନ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି।
ଏହି ଗିରଫଦାରୀରେ ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ସହ ସବ୍ଇନ୍ସପେକ୍ଟର ହାସିନା ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୁରୁତର ଅପରାଧ ସମ୍ପର୍କିତ ମାମଲା ଥିବା ଏବଂ ସେ ଏକାଧିକ ଥର ଜେଲ୍ ଯାଇଥିବା ଥାନା ଅଧିକାରୀଙ୍କ ସୂଚନାରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ, ଅଭିଯୁକ୍ତ ଜଣକ ଏକ ଶିକ୍ଷାନୁଷ୍ଠାନରେ ଡ୍ରାଇଭର ଭାବେ କିପରି ନିଯୁକ୍ତି ପାଇଥିଲେ ଏବଂ ନିଯୁକ୍ତି ପୂର୍ବରୁ ତାଙ୍କର ପୋଲିସ ଯାଞ୍ଚ ହୋଇଥିଲା କି ନାହିଁ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଦିଗରେ ମଧ୍ୟ ଉପଯୁକ୍ତ ତଦନ୍ତ କରିବାକୁ ରଣପୁର ଅଞ୍ଚଳବାସୀ ରାଜ୍ୟ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି।
ବର୍ତ୍ତମାନ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ସହ ସାମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣାରେ ନ୍ୟାୟ ମିଳିବା ନେଇ ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
