ଭୁବନେଶ୍ବର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ତଳିଆ ଅଞ୍ଚଳ ଲାଗି ସତର୍କ ସୂଚନା । ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ଥିବା କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବାର ସମ୍ଭାବନା ରହିଛି । ମହାନଦୀର ଶାଖା ତେଲନଦୀ, ଦୟାନଦୀରେ ବନ୍ୟା ଆଶଙ୍କା ଥିବାରୁ ଉପକୂଳିଆ ଲୋକ ଛାନିଆ ହୋଇପଡ଼ିଛନ୍ତି । ବାଙ୍କୀର ଚନ୍ଦ୍ରପା ଓ ରଣ ନଦୀରେ ପାଣି ବଢୁଥିବାରୁ ତାଳବସ୍ତ ରାସ୍ତାରେ ପାଣି ଚାଲୁଛି ।
ମହାନଦୀରେ ଆସୁଛି ବନ୍ୟା । ମଧ୍ୟମ ଧରଣର ବନ୍ୟା ଆଶଙ୍କା । ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା। ଉପରମୁଣ୍ଡରେ ଲଗାଣ ବର୍ଷା ଓ ନଦୀଗୁଡ଼ିକରେ ବଢ଼ୁଥିବା ଜଳପ୍ରବାହକୁ ଦୃଷ୍ଟିରେ ରଖି ମହାନଦୀରେ ମଧ୍ୟମ ଧରଣର ବନ୍ୟା ନେଇ ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ତେଲ ନଦୀ ଅବବାହିକା, ବଲାଙ୍ଗିର ଓ ଖଇରମାଳ କ୍ୟାଚମେଣ୍ଟ ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ।
ଏହି ବର୍ଷା ଯୋଗୁଁ ଉପରମୁଣ୍ଡରୁ ଆସୁଥିବା ଜଳର ପରିମାଣ ଦ୍ରୁତ ଗତିରେ ବଢ଼ୁଛି। ଫଳରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବାର ସମ୍ଭାବନା ରହିଛି। ଏଥିଯୋଗୁଁ ମହାନଦୀ ଓ ଦୟା ନଦୀର ତଳମୁଣ୍ଡ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇପାରେ। ବିଶେଷକରି ନିମାପଡ଼ା, କଣାସ, ଗୋପ ଓ ଅସ୍ତରଙ୍ଗ ଭଳି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଯାଇଛି ।
ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ମହାନଦୀ ଓ ଶାଖା ନଦୀ ତେଲନଦୀରେ ବଢୁଛି ଜଳସ୍ତର । ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ନଦୀକୂଳିଆ ଲୋକ ଭୟଭୀତ। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ବର୍ଷା ଲାଗି ରହିଛି l ମହାନଦୀ ଦୁଇ କୂଳ ଖାଇ ପ୍ରଭାବିତ ହେଉଥିବାରୁ ନଦୀ ଭିତରକୁ ଯିବା ପାଇଁ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି ।
ଏକର ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ସତର୍କ ନଜର ରଖାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ତୁରନ୍ତ ପଦକ୍ଷେପ ନିଆଯିବ। ମହାନଦୀ ଅବବାହିକାରେ ଥିବା କଟକ ଜିଲ୍ଲା ବାଙ୍କୀର ଚନ୍ଦ୍ରପା ଓ ରଣ ନଦୀ ଫୁଲୁଥିବା ବେଳେ ବାଙ୍କୀ-ତାଳବସ୍ତ ରାସ୍ତାରେ ପାଣି ଚାଲୁଛି । ଶହ ଶହ ହେକ୍ଟର ଧାନ ଫସଲ ଓ ପରିବା ଫସଲ ଜମି ବୁଡ଼ି ରହିଛି। ଫଳରେ ଚିନ୍ତାରେ ଚାଷୀ ।
