ସଂମ୍ପ୍ରତି କାଶ ତଣ୍ଡି ଫୁଲର ଆଗମନ ସହିତ ପାର୍ବଣ ଋତୁର ଆରମ୍ଭ ହୋଇଯାଇଛି | ସାଧାରଣତଃ ପାର୍ବଣ ଋତୁର ପ୍ରାରମ୍ଭରୁ ଅଗ୍ରପୂଜ୍ୟ ଗଣାଧିପ ଶ୍ରୀଗଜାନନଙ୍କ ପୂଜା ସହିତ ସାମନ୍ତରାଳ ଭାବେ ଖୁଦୁରୁକୁଣୀ ପୂଜା,ବିଶ୍ୱକର୍ମା ପୂଜା,ଦଶହରାରେ ଶ୍ରୀଦୁର୍ଗା ପୂଜା, କୁମାର ପୁର୍ଣିମାରେ ଗଜ ଲକ୍ଷ୍ମୀ ପୂଜା, ଦୀପାବଳୀରେ କାଳୀ ପୂଜା ଆଦି ଧୂମଧାମରେ ପ୍ରାୟତଃ ସାରା ଦେଶରେ ପାଳିତ ହୋଇଥାଏ | ସ୍ଥଳ ବିଶେଷରେ କେଉଁ କେଉଁ ରାଜ୍ୟରେ ଏସବୁ ଆଜିକାଲି ଅଳ୍ପ ବହୁତ ପାଳନ କରିବା ଦେଖିବାକୁ ମିଳିଲାଣି | ସମସ୍ତ ପୂଜା ପାର୍ବଣ ନିମନ୍ତେ ମୂଳତଃ ମୃତିକା ମୂର୍ତ୍ତି ଵିଧି ବିଧାନ ସହିତ ନିର୍ମାଣ କରିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ ବେଦଜ୍ଞ ପଣ୍ଡିତଙ୍କ ଦ୍ୱାରା ମୂର୍ତ୍ତି ପ୍ରତିଷ୍ଠା ସହିତ ଜୀବଦାନ ପୂର୍ବକ ହୋମଦି ଯଜ୍ଞ ସମ୍ପନ ପରେ ଷୋଡଶ ଉପଚାରରେ ପୂଜା ସହିତ ଭୋଗଲାଗି କରିବା ହିଁ ଆମ ପରମ୍ପରା ବୋଲି ଆମେ କାହିଁ କେଉଁ କାଳରୁ ପୁରୁଷାନୁକ୍ରମେ ପାଳନ କରୁଛନ୍ତି | ହେଲେ ପଚାଶ ବର୍ଷ ପୂର୍ବରୁ ଗଣେଶ ପୂଜା କେବଳ ଓଡ଼ିଶାରେ କେବଳ ସ୍କୁଲ କଲେଜରେ ପାଳନ ହେଉଥିବା ବେଳେ ବର୍ତ୍ତମାନ ଗାଁ ଗାଁରେ ସବୁ ସାହି, କ୍ଳବ ଓ ଟ୍ୟୁଟୋରିଆଲ ମାନଙ୍କରେ ଗଣେଶ ପୂଜା ଏକ ରକମ ପ୍ରତିଯୋଗିତା ହୋଇଛି | ଏପରିକି କେତକ ସ୍ଥାନରେ ପୂଜା ପେଣ୍ଡାଲକୁ ନେଇ ପ୍ରତିଯୋଗିତା ହେଉଥିବା ବେଳେ ଆଉ କେତେକ ସ୍ଥାନରେ ଭଷାଣି ପାଇଁ ଡିଜେ ଶୋଭାଯାତ୍ରା କରି ନଦୀ ନାଳ ପୋଖରୀ ପୁଷ୍କରିଣୀ ପର୍ଯ୍ୟନ୍ତ ରୋଶଣୀ ଶୋଭାଯାତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଉଛି |
ଏ ପୁଣି ଏକ ପ୍ରତିଯୋଗିତାର ମାନ୍ୟତା ପାଉଛି | କେଉଁ ସାହି ମେଢ଼ କେତେ ଜୋର ଡିଜେ ବଜାଇଥିଲା | ଏସବୁ ସତ୍ୱେ ଶେଷରେ ଲୋକଙ୍କୁ ସ୍ନାନାଦି କାର୍ଯ୍ୟ ସହିତ ଦୈନିକ ସ୍ୱଚ୍ଛ ପାଣି ମୁନ୍ଦୀଏ ପାଇଁ ବ୍ୟବହାରରେ ଲାଗୁଥିବା ନଦୀ, ନାଳ, ପୋଖରୀ କିମ୍ବା ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବାକୁ ଆୟୋଜକଙ୍କ ଏକ ମାତ୍ର ପସନ୍ଦଯୋଗ୍ୟ ସ୍ଥାନ ହୋଇଛି | କିନ୍ତୁ ବିଭିନ୍ନ ରାସାୟନିକ ରଙ୍ଗ, ବାଉଁଶ,ଲୁହା ତାର ଓ ଅବ୍ୟବହୃତ କପଡା ଦ୍ୱାରା ଆଚ୍ଛାଦିତ ମୂର୍ତ୍ତି ପାଣିରେ ବିସର୍ଜନ ହେବା ଦ୍ୱାରା ପରଵର୍ତ୍ତି ସମୟରେ ତାହା କେତେ ବିଷାକ୍ତ ଓ ପ୍ରଦୂଷିତ ହୋଇଥାଏ ସେଥିପ୍ରତି ଆୟୋଜକଙ୍କ ଏ ଯାବତ ଚେତା ପଶିନାହଁ | ଯଦି କେଭେ କଭାର କୌଣସି ପରିବେଷବିତ ଏନେଇ ପ୍ରଶ୍ନ କରନ୍ତି ସେମାନଙ୍କୁ ମୂର୍ତ୍ତି ବିସର୍ଜନର ସଂଜ୍ଞା ଶୁଣାଇ ଧର୍ମ ଦ୍ରୋହୀ ଆଖ୍ୟା ଦିଆଯାଏ | ହେଲେ ରାଜସ୍ଥାନର ଏକ ସହରରେ ମାଳ ମାଳ ଗଣେଶ ମୂର୍ତ୍ତି ଦୋକାନ ଦେଖି, ସ୍ୱତଃ ପ୍ରଶ୍ନ ଆସିଲା, ଏଠି ତ ନଦୀ ନାଳ କି ପୋଖରୀ ପୁଷ୍କରିଣୀ ନାହିଁ, ଏମାନେ ମୂର୍ତ୍ତି ବିସର୍ଜନ କେଉଁଠି କରନ୍ତି | ବାରମ୍ବାର ଏ ପ୍ରଶ୍ନ ମନରେ ଉଙ୍କି ମାରିଲା ପରେ ଏହାର ଉତ୍ତର ଜଣିବାକୁ ଉତ୍ସାହକୁ ଦାବି ପାରିଲି ନାହିଁ | ଏବଂ ବିଭିନ୍ନ ପୂଜା ପେଣ୍ଡାଲ ବୁଲି ବୁଲି ଉତ୍ତର ଖୋଜିବାକୁ ଲାଗିଲି | ହେଲେ ପ୍ରାୟତଃ ଗୋଟିଏ ଉତ୍ତର ମିଳିଲା, ପ୍ରତିମା ଟିଏ ତ ଗଛ ଟିଏ | ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଯାଇ ଜଣେ ପୂଜା ପେଣ୍ଡାଲ ପଣ୍ଡିତ କହିଥିଲେ, ଏଠି ମୂର୍ତ୍ତି ବିସର୍ଜନ ପୂର୍ବରୁ ଆୟୋଜକଙ୍କ ଦ୍ୱାରା ଏକ ବୃକ୍ଷ ରୋପଣ ପାଇଁ ଏକ ସ୍ଥାନ ନିର୍ଦ୍ଧାରଣ ପୂର୍ବକ ମୃଣ୍ମୟୀ ମୂର୍ତ୍ତିଙ୍କ ଆକାର ଅନୁସାରେ ଗାତ ଖୋଳା ଯାଇଥାଏ | ଏବଂ ମୂର୍ତ୍ତି ବିସର୍ଜନର ଅବ୍ୟବହତି ପୂର୍ବରୁ ସେଥିରେ ଟ୍ୟାଙ୍କର ସାହାଯ୍ୟରେ ପାଣି ଭର୍ତ୍ତି କରି ବିସର୍ଜନ ପୂଜା ସହିତ ଗଣପତି ପାପାଙ୍କୁ ପୁଣି ଏକ ବର୍ଷରେ ଆସିବାକୁ ପ୍ରାର୍ଥନା ପୂର୍ବକ ବିଦାୟ ଦିଆଯାଇଥାଏ | ପରବର୍ତ୍ତି ସମୟରେ ସେଥିରେ ପୁଣି ମାଟି ଭର୍ତ୍ତି କରି ଆୟୋଜକଙ୍କ ଦ୍ୱାରା ତାହାରି ଉପରେ ଶ୍ରଦ୍ଧାର ସହିତ ଏକ ବୃକ୍ଷ ରୋପଣ କରାଯାଇ ତାହାର ବର୍ଷ ତମାମ ଯତ୍ନ ନିଆ ଯାଇ ପରିବେଶ ଯୁକ୍ତ ଓ ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ପାଇଁ ସଂକଳ୍ପ ନିଆଯାଏ | ଅତି ସୁନ୍ଦର ଚିନ୍ତାଧାରା ମୋ ମନକୁ ଛୁଇଁ ଗଲା | ସତରେ ଏହିପରି ଏକ ପରମ୍ପରାକୁ ଆଦୃତ କରିବା ଆମ ପାଇଁ ନିଶ୍ଚିତ ଭାବେ ଏକ ସୋଭାଗ୍ୟ |
ଆଦର୍ଶ କୁମାର ପଟ୍ଟନାୟକ, ଆର୍ମି ଭେଟେରାନ, ଓଡ଼ଗାଁ (ନୟାଗଡ଼ )9437365668
