ଅଯୋଧ୍ୟା: ଉତ୍ତର ପ୍ରଦେଶର ଫୈଜାବାଦ ବାର ଆସୋସିଏସନ ରାମ ମନ୍ଦିର ପାଣ୍ଠି ଆତ୍ମସାତ ଅଭିଯୋଗ ସହ ଜଡିତ ମାମଲାରେ ଅଭିଯୁକ୍ତମାନଙ୍କ ପକ୍ଷରେ କୌଣସି ଓକିଲ ମାମଲା ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ସୋମବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା। ସେହିସହିତ ଚେତାବନୀ ଦିଆଯାଇଛି ଯେ, କୌଣସି ସଦସ୍ୟ ଯଦି ଅଭିଯୁକ୍ତଙ୍କ ପକ୍ଷରେ ମାମଲା ଲଢ଼ନ୍ତି, ତେବେ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯିବ।ବୈଠକରେ ଓକିଲମାନେ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ତିନି ଦିନ ମଧ୍ୟରେ ଅଯୋଧ୍ୟା ଛାଡ଼ିବାକୁ ଦାବି କରିଥିଲେ।
ଏହା ନ କଲେ ସହର ଅବରୋଧ କରାଯିବ ବୋଲି ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ଚମ୍ପତ ରାୟ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଥିଲେ ଏବଂ ସମ୍ପ୍ରତି ଅନ୍ୟ ଜଣେ ଟ୍ରଷ୍ଟି ମିଶ୍ରଙ୍କ ସହିତ ପଦରୁ ଇସ୍ତଫା ଦେଇଥିଲେବାର ଆସୋସିଏସନର ସମ୍ପାଦକ ଶୈଳେନ୍ଦ୍ର ଜୟସ୍ୱାଲ୍ କହିଛନ୍ତି, ମନ୍ଦିର ପାଣ୍ଠିର ଦୁର୍ବ୍ୟବହାର ଅଭିଯୋଗ ଓକିଲମାନଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି। ସେହି କାରଣରୁ ଫୈଜାବାଦର ସମସ୍ତ ଓକିଲ ଗିରଫ ଅଭିଯୁକ୍ତଙ୍କ ପକ୍ଷରେ ନ ଲଢ଼ିବାକୁ ସମ୍ମତି ପ୍ରକାଶ କରିଛନ୍ତି।
ଏହି ନିଷ୍ପତ୍ତି ପରେ ବାର ଆସୋସିଏସନର ସଭାପତି କାଳିକା ପ୍ରସାଦ ମିଶ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସେ କହୁଛନ୍ତି ଯେ, କୌଣସି ଓକିଲ ଅଭିଯୁକ୍ତଙ୍କ ପକ୍ଷରେ ମାମଲା ଲଢ଼ିଲେ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲାଗିବ। ତାଙ୍କ ଘୋଷଣାକୁ ଉପସ୍ଥିତ ଓକିଲମାନେ ତାଳି ମାରି ସମର୍ଥନ କରିଥିଲେ।ସଭାପତି ଆହୁରି କହିଛନ୍ତି ଯେ, ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କ ଅଜାଣତରେ ଏପରି ବଡ଼ ଘଟଣା ଘଟିବା ସମ୍ଭବ ନୁହେଁ। ପ୍ରସିକ୍ୟୁସନ ପକ୍ଷରୁ ମାମଲା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ଏ ସମ୍ପର୍କରେ ଶୀଘ୍ର ଆନୁଷ୍ଠାନିକ ପତ୍ର ଜାରି କରାଯିବ ବୋଲି ସେ କହିଛନ୍ତି।
