ନୂଆଦିଲ୍ଲୀ : ଜୁନ୍ ୨୮ କିମ୍ବା ୨୯ରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ସମ୍ଭାବନା । ଏ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ୨୩ ଜୁନରେ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ପରିବର୍ତ୍ତନ ହେଲେ ଅନେକ ନୂଆ ନେତାଙ୍କୁ ସୁଯୋଗ ମିଳିପାରେ । ଏହାସହ କିଛି ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ ।
ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ଓ ଆଗାମୀ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳବଦଳ ହୋଇପାରେ । କିଛି ମନ୍ତ୍ରୀଙ୍କୁ ସାଂଗଠନିକ ଦାୟିତ୍ବ ମିଳିପାରେ । ଅନେକ ନୂଆ ଚେହେରାକୁ ସୁଯୋଗ ମିଳିପାରେ । ମହାରାଷ୍ଟ୍ରରୁ ଶିବସେନା (ସିନ୍ଦେ) ରୁ ଶ୍ରୀକାନ୍ତ ସିନ୍ଦେ ଏବଂ ସଞ୍ଜୟ ଦୀନା ପାଟିଲ ଓ ବିନୋଦ ତାୱେଡଙ୍କ ନାମ ଚର୍ଚ୍ଚାରେ ଅଛି ।
ସେହିପରି ଆସନ୍ତା ବର୍ଷ ପଞ୍ଜାବରେ ନିର୍ବାଚନ ଥିବାରୁ ଦଳ ସେହି ରାଜ୍ୟର ପ୍ରତିନିଧିତ୍ବକୁ ଧ୍ୟାନରେ ରଖିବ । ରାଘବ ଚଢ଼ା ଓ ଅଶୋକ ମିତ୍ତଲନାଁ ଚର୍ଚ୍ଚାରେ ରହିଛି । ଅନ୍ୟାନ୍ୟ ଚେହେରା ମଧ୍ୟରେ ଅଛନ୍ତି ଅନୁରାଗ ଠାକୁର ଓ ଅରୁଣ ଗୋଭିଲ । ନୀତିଶ କୁମାରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ଘୋଷଣା ହୋଇନାହିଁ ।
ବର୍ତ୍ତମାନ ନୀତୀଶ କୁମାର ବର୍ତ୍ତମାନ ଦଳୀୟ ସଂଗଠନ ଏବଂ ରାଜନୈତିକ ରଣନୀତି ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୀତୀଶ କୁମାରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । କେବଳ ସେତିକି ନୁହଁ କିଛି ଗଣମାଧ୍ୟମରେ ଶକ୍ତିକାନ୍ତ ଦାସଙ୍କ ନାଁ ଚର୍ଚ୍ଚାରେ ରହିଛି ।
ପୂର୍ବତନ ଆଇବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି । ମୋଦି ସରକାରଙ୍କ ସମ୍ଭାବ୍ୟ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ନୂଆଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହୋଇଛି । ତେଣୁ ଏକ ‘ମିଡ୍-ଟର୍ମ ରିସେଟ୍’ ଦେଖିବାକୁ ମିଳିପାରେ । ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରୀ ଥିବା ନେତାଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ହେଉଛି । ସମୀକରଣକୁ ଦୃଷ୍ଟିରୁ କିଛି ପରିବର୍ତ୍ତନର ସମ୍ଭାବନା ମଧ୍ୟ ରହିଛି ।
