ଭୁବନେଶ୍ୱର : ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ । ଦୁର୍ବଳ ହୋଇ ତୀବ୍ର ବାତ୍ୟାରେ ପରିଣତ ହେଲା ଅର୍ଣ୍ଣବ । ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଏବଂ ୟାନାମ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଭୋର ୨ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୮ ମଧ୍ୟରେ ବାତ୍ୟାର ‘ଲ୍ୟାଣ୍ଡଫଲ୍’ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ବାତ୍ୟାର କେନ୍ଦ୍ରସ୍ଥଳ ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିସାରିଛି । ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ତୀବ୍ରତା କ୍ରମଶଃ ହ୍ରାସ ପାଇ ଏହା ‘ଅତି ଭୀଷଣରୁ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ।
ବାତ୍ୟା ‘ଅର୍ଣ୍ଣବ’ ୟାନାମର ଦକ୍ଷିଣ-ପଶ୍ଚିମ ଉପକୂଳ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି । ଏହି ସ୍ଥାନଟି ନରସାପୁରଠାରୁ ୨୦ କିମି ପୂର୍ବ-ଉତ୍ତରପୂର୍ବ, ୟାନାମଠାରୁ ୪୦ କିମି ଦକ୍ଷିଣ-ପଶ୍ଚିମ ଏବଂ କାକିନାଡ଼ାଠାରୁ ୬୦ କିମି ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ ରୁ ୧୩୫ କିମି ରହିଥିବା ବେଳେ ଝଟକା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚିଥିଲା। ସକାଳ ୦୮:୩୦ ସୁଦ୍ଧା ଏହା ଦୁର୍ବଳ ହୋଇଥିଲେ ମଧ୍ୟ କେନ୍ଦ୍ରସ୍ଥଳ ନିକଟରେ ଘଣ୍ଟାପ୍ରତି ୧୧୦ ରୁ ୧୨୦ କିମି ବେଗରେ ପବନ ବହୁଛି, ଯାହାର ଝଟକା ୧୩୫ କିମି ଛୁଉଁଛି ।
ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଏକ ସାଧାରଣ ବାତ୍ୟା ରୂପ ନେବ। ତା’ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଏହା ଅଧିକ ଶକ୍ତି ହରାଇ ଏକ ‘ଗଭୀର ଅବପାତ’ ରେ ପରିଣତ ହେବ । ବାତ୍ୟା ପ୍ରଭାବରେ ସମୁଦ୍ରରେ ସାଧାରଣ ଜୁଆରଠାରୁ ପ୍ରାୟ ୧.୦ ମିଟର ଉଚ୍ଚ ଜୁଆର ଉଠିବା ସହ ଆଗାମୀ ୩ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶର ତଳିଆ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ପରବର୍ତ୍ତୀ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଜୁଆରର ଉଚ୍ଚତା ୦.୫ ରୁ ୧.୦ ମିଟର ରହିପାରେ ।
ବାତ୍ୟାର ପ୍ରଭାବରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରଳୟଙ୍କରୀ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳ ୮:୩୦ ସୁଦ୍ଧା ବିଶାଖାପାଟଣା ୩୧୫ ମିମି, ବିଜୟନଗରମ୍ ରେ ୩୦୧ ମିମି , ଅନକାପାଲ୍ଲୀରେ ୨୭୫ ମିମି , ଶ୍ରୀକାକୁଲମରେ ୨୫୭ ମିମି ଓ କୃଷ୍ଣାରେ ୨୨୩ ମିମି ବର୍ଷା ରେକର୍ଡ କରାଯାଇଛି । ଓଡ଼ିଶାର କୋରାପୁଟରେ ୧୮୮ ମିମି , ଗଞ୍ଜାମରେ ୧୬୧ ମିମି ଓ ଗଜପତିରେ ୧୩୫ ମିମି ବର୍ଷା ହୋଇଛି ।
