ଭୁବନେଶ୍ବର: ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ନୂଆ ଧାନକୁ ପ୍ରଥମେ ଦେବୀଙ୍କୁ ସମର୍ପଣ, ପରେ ପରିବାର ସହ ନବାନ୍ନ ଭକ୍ଷଣ । ପଶ୍ଚିମ ଓଡ଼ିଶାର ଘରେ ଘରେ ଉତ୍ସବର ମାହୋଲ । ନୂଆ ଧାନ, ନୂଆ ଆଶା ଆଉ ନୂଆ ଉତ୍ସାହକୁ ନେଇ ପାଳନ ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ଏହି ପର୍ବ। ଚାଷୀ ନିଜ ପରିଶ୍ରମର ପ୍ରଥମ ଫସଲକୁ ନିଜେ ଗ୍ରହଣ କରିବା ପୂର୍ବରୁ ଇଷ୍ଟଦେବୀଙ୍କୁ ସମର୍ପଣ କରି କୃତଜ୍ଞତା ଜଣାଇଥାଏ । ନୂଆଁଖାଇର ପ୍ରମୁଖ ଆକର୍ଷଣ ସମ୍ବଲପୁରର ମା’ ସମଲେଶ୍ୱରୀ ପୀଠ । ଚଳିତବର୍ଷ ନବାନ୍ନ ଲାଗି ପାଇଁ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଶୁଭଲଗ୍ନ ଧାର୍ଯ୍ୟ କରାଯାଇଛି । ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରାଯିବ ।
ଏହାପରେ ଘରେ ଘରେ ନିଜ ଇଷ୍ଟଦେବତା ଓ ଗ୍ରାମଦେବୀଙ୍କୁ ନବାନ୍ନ ଅର୍ପଣ କରି ପରିବାର ସଦସ୍ୟ ଏକାଠି ନୂଆ ଅନ୍ନ ଭକ୍ଷଣ କରିବେ । ନୂଆଁଖାଇ’ର ଅର୍ଥ ହେଉଛି ନୂଆ ଅନ୍ନ ଖାଇବା। କିନ୍ତୁ ଏହାର ମହତ୍ତ୍ୱ କେବଳ ନୂଆ ଫସଲ ମଧ୍ୟରେ ସୀମିତ ନୁହେଁ । ନୂଆଁଖାଇ ପରିବାରକୁ ଏକାଠି କରେ, ଭାଇଚାରା ବଢ଼ାଏ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କର ଆରମ୍ଭ ପାଇଁ ସନ୍ଦେଶ ଦିଏ । ନବାନ୍ନ ଭକ୍ଷଣ ପରେ ଆରମ୍ଭ ହୁଏ ‘ନୂଆଁଖାଇ ଜୁହାର’। ପରିବାରର ସାନମାନେ ବଡ଼ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି । ସାଙ୍ଗସାଥୀ, ଆତ୍ମୀୟସ୍ୱଜନ ଓ ପଡ଼ୋଶୀ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି । ଦୂରଦୂରାନ୍ତରେ ରହୁଥିବା ପରିବାର ସଦସ୍ୟମାନେ ମଧ୍ୟ ଏହି ଅବସରରେ ଘରକୁ ଫେରନ୍ତି। ସମ୍ବଲପୁର ସହ ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଦେବଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳ ନୂଆଁଖାଇ ପାଇଁ ଉତ୍ସବମୁଖର ।
ନୂଆ ପୋଷାକ, ଘର ସଫାସୁତରା, ପିଠାପଣା ଓ ପାରମ୍ପରିକ ଖାଦ୍ୟରେ ମହକୁଛି ପରିବେଶ । ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଇଷ୍ଟଦେବୀଙ୍କୁ ନୂଆ ଅନ୍ନ ସମର୍ପଣର ସ୍ୱତନ୍ତ୍ର ପରମ୍ପରା ରହିଛି । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ସହ ବଲାଙ୍ଗୀର-ପାଟଣାଗଡ଼ ଅଞ୍ଚଳରେ ମା’ ପାଟଣେଶ୍ୱରୀ, ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀ ଏବଂ କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ପୀଠରେ ନୂଆଁଖାଇର ବିଶେଷ ପରମ୍ପରା ଦେଖିବାକୁ ମିଳେ । ନବାନ୍ନ ଓ ଜୁହାର ପରେ ଜମିବ ନୂଆଁଖାଇ ଭେଟଘାଟ । ଢୋଲ, ନିଶାନ, ତାସାର ତାଳ ସହ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ଦୁଲିବ ପଶ୍ଚିମ ଓଡ଼ିଶା। ଡାଲଖାଇ, ରସରକେଲି ଭଳି ଲୋକନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନୂଆଁଖାଇର ଉତ୍ସବକୁ ଆହୁରି ରଙ୍ଗିନ କରିବ । ମାଟିକୁ ସମ୍ମାନ, ଚାଷୀର ପରିଶ୍ରମକୁ ସ୍ୱୀକୃତି, ଇଷ୍ଟଦେବୀଙ୍କ ପ୍ରତି କୃତଜ୍ଞତା ଏବଂ ପରିବାର-ସମାଜକୁ ଏକାଠି ବାନ୍ଧି ରଖିବାର ପରମ୍ପରା—ଏସବୁର ସମାହାର ହେଉଛି ନୂଆଁଖାଇ । ସେଥିପାଇଁ ପଶ୍ଚିମ ଓଡ଼ିଶାରେ ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଏକ ଭାବନା ଓ ଜୀବନଧାରା ।
