ଓଡଗାଁ: ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଓଡଗାଁରେ ବିଜେ ଶ୍ରୀରଘୁନାଥଜିଉ ଓ ଶରଣକୁଳରେ ବିଜେ ବାବା ଲଡ଼ୁକେଶ୍ୱରଙ୍କ ଉଭୟ ପୀଠରେ ବସବାସ କରୁଥିବା 50 ହଜାରରୁ ଉର୍ଦ୍ଧ ବିଦ୍ୟୁତ ଗ୍ରାହକଙ୍କ ପ୍ରାୟ ଅଢେଇଲକ୍ଷ ପରିବାର ସଦସ୍ୟଙ୍କ ଦୂର ହେବ ବିଦ୍ୟୁତ ସମସ୍ୟା | ବୁଧବାର ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ନୟାଗଡ଼ ଜିଲ୍ଲା ମାଛିପଡା ବିଦ୍ୟୁତ ଷ୍ଟ୍ରକଚର ଠାରେ ପୁରୋହିତଙ୍କ ଦ୍ୱାରା ପୂଜା ବିଧାନ ପୂର୍ବକ ଅନ୍ୟ ଅଧିକାରୀଙ୍କ ସହିତ ଶ୍ରୀଫଳ ଭାଙ୍ଗି ସୁଇଚ ଟିପି ନୟାଗଡ଼ (ରାଜପାଟଣା )-ଶରଣକୂଳ -ଓଡଗାଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଢଙ୍ଗରେ ନିର୍ମାଣ ହୋଇଥିବା ନୂତନ 33 କେଭି ବିଦ୍ୟୁତ ଲାଇନର ଲୋକାର୍ପଣ କରିଛନ୍ତି | ଏହା ଦ୍ୱାରା ଏହି ଅଞ୍ଚଳ ସମେତ କୁରାଳ, ବାହାଡାଝୋଲା ଅଞ୍ଚଳର ହଜାର ହଜାର ବିଦ୍ୟୁତ ଉପଭୋକ୍ତା ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାରୁ ମୁକୁଳିବା ସମ୍ଭାବନା ସୃଷ୍ଟି ହୋଇଛି |
ସୂଚନା ଯୋଗ୍ୟ ସ୍ୱାଧୀନତାର ପରବର୍ତୀ ସମୟ ଅର୍ଥାତ ପ୍ରାୟ 60 ବର୍ଷରୁ ଉର୍ଦ୍ଧ ସମୟ ହେଲା ରାଜପାଟଣା ଗ୍ରୀଡ଼ରୁ ଶରଣକୂଳ ଓ ଓଡ଼ଗାଁକୁ ନଦୀ ନାଳ ବଣ ପାହାଡ଼ ଦେଇ ସଂଯୋଗ କରାଯାଇଥିବା 33 କେଭି ବିଦ୍ୟୁତ ଲାଇନର ବୟସାଧିକ କାରଣ ହେତୁ ରକ୍ଷଣା ବେକ୍ଷଣ କରିବା ସମ୍ଭବ ପର ହେଉ ନଥିଲା | ଫଳରେ ଲୋକେ ବର୍ଷ ସାରା ବେଳେ ବେଳେ ଲୋକେ ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେବା ଏକ ସ୍ୱାଭାବିକ ଭାବେ ଦେହ ସୁହା ବ୍ୟାପାର ହୋଇଥିଲା | ଏପରିସ୍ଥଳେ କେବଳ କେତେକ ହଷ୍ଟଲ ଗଣତି ଗଣ ମାଧ୍ୟମଙ୍କ ସମୟୋପଚିତ ରିପୋର୍ଟର ପ୍ରତିଫଳନ ସ୍ୱରୂପ 21 ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ନୂତନ 33 କେଭି ଲାଇନ ନିର୍ମାଣ କରାଯାଇଥିଲା | ହେଲେ ନିର୍ଦିଷ୍ଟ ଏକ ଗ୍ରାମରେ ଗ୍ରାମ ବିବାଦ ଯୋଗୁଁ ଏହାକୁ ଦୁଇ ବର୍ଷ ହେଲା କାର୍ଯ୍ୟକାରୀ କରିବାରେ ବିଭାଗ ଅସଫଳ ରହିଥିଲା | ଅନ୍ୟପକ୍ଷେ ଏହି ବିବାଦ ଓ ସମସ୍ୟା ସମ୍ପର୍କରେ ଆମ ବଡଖବର ଓ ଦୈନିକ ସମାଲୋଚନା ଉପଦେଷ୍ଟା ଆଦର୍ଶ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ଓ ସାରସ କୁମାର ମିଶ୍ର ଏ ସମ୍ପର୍କୀୟ ସମସ୍ତ ବିବରଣୀ ଜିଲ୍ଲାପାଳ,ପୂର୍ବତନ ଏମପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଏମପି ଡ଼. ସମ୍ବିତ ପାତ୍ର ଏପରିକି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କୁ ଭେଟି ଅବଗତି କରିବା ସହିତ ଏନେଇ ଲଗାତାର ରିପୋର୍ଟ ପ୍ରକାଶ କରିଥିଲେ | ଫଳତଃ ସମସ୍ତ ନେତୃତ୍ୱ ଓ ଜିଲ୍ଲାପାଳଙ୍କ ସଦିଚ୍ଛା ପୂର୍ବକ ଏହାକୁ କାର୍ଯ୍ୟକାରୀ କରିବା ନିଶ୍ଚିତ ଭାବେ ଅଞ୍ଚଳ ବାସୀଙ୍କ ପାଇଁ ଏକ ଶୁଭଙ୍କର |
ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଏକ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ରଥଙ୍କ ସହିତ ଟାଟା ପାୱାରର ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ (ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଓ ମରାମତି ) ଉପେନ୍ଦ୍ର ଭଞ୍ଜ ଖାଡେଙ୍ଗା,ନୟାଗଡ଼ ଅଧିକ୍ଷଣ ଯନ୍ତ୍ରୀ (II)ସନ୍ତୋଷ କୁମାର ମହାପାତ୍ର,ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀଙ୍କ ବୈଷୟିକ ସହାୟକ ରାମଚନ୍ଦ୍ର ପାତ୍ର, ସହକାରୀ ଅଧିକ୍ଷଣ ଯନ୍ତ୍ରୀ (ଖୋର୍ଦ୍ଧା )ନିହାର ରଞ୍ଜନ ତ୍ରିପାଠୀ ଓ ନୟାଗଡ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ ରଞ୍ଜନ ସାହୁ ଓ ପ୍ରକଳ୍ପ ମୁଖ୍ୟ ତୁପ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ | ହେଲେ ପ୍ରାୟ ଦୁଇ ବର୍ଷ ହେଲା ବ୍ୟବହାର ନହୋଇ ପଡିରହିଥିବା ଏହି ଉଚ୍ଚ ଶକ୍ତି ବିଦ୍ୟୁତ ଲାଇନ ଚାର୍ଜ କରାଯାଇଥିବା ବେଳେ ଦୁଇ ଦିନ ଅନୁଧ୍ୟାନ କରିବା ପରେ ଏହି ଲାଇନରେ ଶରଣକୁଳ ଓ ଓଡ଼ଗାଁ ବିଦ୍ୟୁତ ଷ୍ଟ୍ରକଚରରେ ଥିବା ସମସ୍ତ ପାୱାର ଲୋଡ଼ ଦିଆଯିବ ବୋଲି ସହକାରୀ ନିର୍ବାହୀ ଅଧିକାରୀ ଇଂ ସାହୁ ସୂଚନା ଦେଇଛନ୍ତି |
