ପାଟଣଗଡ଼ (ଭିଓଭି): କେତେ ପୂଜାପାଠ କରି ପୁଅଟିଏ ପାଇଥିଲେ । ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ଆଶ୍ରାବାଡ଼ି ହେବ । ହେଲେ ଯୌବନରେ ପଦାର୍ପଣ କରୁ କରୁ ଠକିଦେଲା ପୁଅ । ହାତ ଧରିବା ପରିବର୍ତ୍ତେ ହାତ ଛାଡ଼ି ଦେଲା । ଘରୁ ବାହାର କରିଦେଲା । କିଛି ଉପାୟ ନପାଇ ବାର୍ଦ୍ଧକ୍ୟରେ ରୋଗୀଣା ପତ୍ନୀଙ୍କୁ ଧରି ଘରୁ ବାହାରି ଆସିଲେ ଭରତ ନାଏକ । ଏବେ ଝାଟିମାଟିର ଘର ଭିତରେ ନାନା ଦହଗଞ୍ଜ ହେଉଛନ୍ତି । ଗୋରୁ ଚରାଇ ଯାହା ରୋଜଗାର କରୁଛନ୍ତି, ସେଥିରେ ଚଳୁଛନ୍ତି । ହେଲେ ପତ୍ନୀଙ୍କ ଚିକିତ୍ସା କରିପାରୁ ନାହାନ୍ତି । ହୃଦୟକୁ ଦୋହଲାଇ ଦେଲା ପରି ଖବର ଖଣି ଖାଦାନ ଭରା କେନ୍ଦୁଝରରୁ ଆସିଛି ।
ପାଟଣା ବ୍ଲକ୍ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗାଁର ଭରତ ନାଏକ । ପରିବାର କହିଲେ ଏକମାତ୍ର ପୁଅ ଓ ପତ୍ନୀ ଅହଲ୍ୟା ନାଏକ । ନିଜର ଜମିବାଡ଼ି ବୋଲି କିଛି ନଥିବାରୁ କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖ କଷ୍ଟରେ ଚଳୁଥିଲା ପୂରା ପରିବାର । ସମୟ ଚକରେ ସଂସାର ରଥଗଡ଼ି ଚାଲୁଥିଲା । ଯେଉଁ ପୁଅ ବାପାର ହାତ ଧରି ଚାଲୁଥିଲେ, ସିଏ ବଡ଼ ହେଲେ । ବାହା ହେଲେ । ଘର ସଂସାର ଗଢ଼ିଲେ । ପୁଅ, ବୋହୂଙ୍କୁ ନେଇ ହସ ଖୁସିର ଚଳୁଥିଲେ ଭରତ ଓ ଅହଲ୍ୟା ।
ଆଜକୁ ୫ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ଅହଲ୍ୟା । ଚାଲିବୁଲି ପାରିଲେ ନାହିଁ । ପକ୍ଷାଘାତରେ ଆକ୍ରାନ୍ତ ହେଲେ । ମାଆଙ୍କ ଏ ଦୁଃଖଦ ସମୟରେ ହାତ ଛାଡ଼ିଦେଲା ଏକମାତ୍ର ପୁଅ । ଯେଉଁ ବାପା ଓ ମାଆଙ୍କ ଆଶୀର୍ବାଦରେ ଦୁନିଆ ଦେଖିଥିଲେ, ସେମାନଙ୍କୁ ପାଖରୁ ଦୂରେଇ ଦେଲେ । ରୋଗୀଣା ମାଆର ଚିକିତ୍ସା କରିପାରିବେ ନାହିଁ ବୋଲି ପୁଅ ଓ ବୋହୂ କହିଥିଲେ । ଘରୁ ବାହାର କରିଦେଲେ । ତେଣୁ ନିଜ ଜୀବନ ସାଥୀକୁ ସାଙ୍ଗରେ ଧରି ଘରୁ ବାହାରି ଆସିଲେ ଭରତ । ଅନ୍ୟ ଏକ ସ୍ଥାନରେ କୁଡ଼ିଆଟିଏ କରି ରହିଲେ । ହେଲେ ଚଳିବେ କେମିତି?
ଭରତଙ୍କୁ ବର୍ତ୍ତମାନ ୬୯ ବର୍ଷ ହେଲାଣି । କାମ କରିବା ପାଇଁ ନା ଅଣ୍ଟାରେ ବଳ ଅଛି ନା ପାଦରେ ଶକ୍ତି ରହିଛି । ହେଲେ କ’ଣ କରିବେ? କେମିତି ଚଳିବେ? ରୋଗୀଣା ପତ୍ନୀଙ୍କ ମୁହଁରେ କେମିତି ଦାନା ଦେବେ? ସେହି ଚିନ୍ତାରେ ପଡ଼ିଗଲେ ଭରତ । କିଛି ଉପାୟ ନପାଇ ମହାଜନଙ୍କ ପାଖରେ ପହଞ୍ଚିଲେ । ଆଉ ତାଙ୍କ ଗୋରୁ ଚରାଇଲେ । ସେଥିରୁ ଯାହା ମିଳିଲା, ସେଥିରେ ଦୁଃଖେ କଷ୍ଟରେ ଚଳି ଯାଉଛନ୍ତି । ନିଜେ ଖାଇବା ସହିତ ପତ୍ନୀ ଅହଲ୍ୟାଙ୍କ ମୁହଁରେ ଦାନା ଦେଉଛନ୍ତି । ଗରିବଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି । ପିଡିଏସ ଚାଉଳକୁ ଛାଡ଼ିଦେଲା ଭରତ ଓ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଅନ୍ୟ କୌଣସି ସରକାରୀ ଯୋଜନା ମିଳୁନି । ନା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ନା ଆବାସ ଯୋଜନାରେ ଘର । ତେଣୁ ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ସ୍ୱାମୀ ଓ ସ୍ତ୍ରୀ ରହୁଛନ୍ତି । ସବୁଠାରୁ ଦୁଃଖର ବିଷୟ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ କୌଣସି ସୂଚନା ନାହିଁ । ଏପରିକି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁ । ଆଜି ଯଦି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଆନ୍ତା, ତାହାହେଲେ ସେ ତାଙ୍କୁ ଭଲ ମେଡ଼ିକାଲ୍ରେ ଚିକିତ୍ସା କରାଇ ପାରିଥାଆନ୍ତେ । ଆଉ ରୋଗୀଣା ପତ୍ନୀଙ୍କ ମୁହଁରେ ହସ ଫୁଟାଇ ପାରିଥାଆନ୍ତେ । ହେଲେ ସେ ସେଥିରୁ ମଧ୍ୟ ବଞ୍ଚିତ ହୋଇଥିବା ଆଲୋଚନା ହେଉଛି ।
