ନୂଆଦିଲ୍ଲୀ : ସିବିଏସଇର ୬ଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ତ୍ରିଭାଷୀ ନୀତିରୁ ଛାଡ଼ ଦିଆଯାଉ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ଭାଷାଗତ ନିୟମରେ ହଠାତ ପରିବର୍ତ୍ତନ ଏବଂ ପ୍ରଭାବିତ ଛାତ୍ରଛାତ୍ରୀଙ୍କ ପାଇଁ ଛପା ହୋଇଥିବା ପାଠ୍ୟପୁସ୍ତକ ଉପଲବ୍ଧ ନଥିବା ନେଇ ଅଭିଭାବକମାନେ ଉଦବେଗ ପ୍ରକାଶ କରିଥିଲେ। ଏଥିସହ ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ପ୍ରଭାବିତ କରୁଥିବା ନେଇ ପିଟିସନ ଦାଖଲ କରିଥିଲେ ।
ଏହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ୨୦୨୭ ଏପ୍ରିଲ ୧ରୁ ଲାଗୁ ହେବ। ଅର୍ଥାତ ଆଗାମୀ ବର୍ଷ ଷଷ୍ଠ ଶ୍ରେଣୀକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ତ୍ରିଭାଷୀ ନୀତିରୁ ଛାଡ଼ ମିଳିବ । ସେମାନଙ୍କୁ ତୃତୀୟ ଭାଷାରେ ପାସ୍ କିମ୍ବା ଫେଲ୍ କରାଯିବ ନାହିଁ। ସେମାନଙ୍କୁ କେବଳ ଆପିୟରିଂ ସାର୍ଟିଫିକେଟ ଦିଆଯିବ।
ପ୍ରଥମେ କେନ୍ଦ୍ର ସରକାର ଷଷ୍ଠ ଶ୍ରେଣୀକୁ ଏଥିରୁ ବାଦ୍ ଦେବାକୁ ମନା କରିଥିଲେ। ସରକାର ଦର୍ଶାଇଥିଲେ ଯେ,ପ୍ରାୟ ୯୯ ପ୍ରତିଶତ ସିବିଏସଇ ବିଦ୍ୟାଳୟ ତୃତୀୟ ଭାଷା ନୀତିକୁ ଆପଣାଇ ସାରିଛନ୍ତି ଏବଂ ଏଥିଲାଗି ଆବଶ୍ୟକତୀୟ ସୁବିଧା ମଧ୍ଯ ଯୋଗାଇ ଦିଆଯାଇଛି। କେବଳ ୧.୨ ପ୍ରତିଶତ ବିଦ୍ୟାଳୟ ହିଁ ଏହା ଦ୍ଵାରା ପ୍ରଭାବିତ ହୋଇଛନ୍ତି ।
ପ୍ରକାଶଥାଉ କି,୭ମ,୮ମ ଏବଂ ୯ମ ଶ୍ରେଣୀକୁ ଏଥିରୁ ପ୍ରଥମରୁ ହିଁ ବାଦ୍ ଦିଆଯାଇସାରିଛି। ତେଣୁ ହଠାତ୍ ୬ଷ୍ଠ ଶ୍ରେଣୀରେ ଭାଷା ବଦଳାଯିବା ଦ୍ବାରା ପିଲାଙ୍କୁ ଅସୁବିଧା ହୋଇପାରେ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ,ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ କହିଥିଲେ। ୭ମ,୮ମ,୯ମ ଶ୍ରେଣୀ ଭଳି ୬ଷ୍ଠ ଶ୍ରେଣୀକୁ ମଧ୍ୟ ଏଥିରୁ ବାଦ୍ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ ହେବ ବୋଲି ଶୀର୍ଷ ଅଦାଲତ ଧାର୍ଯ୍ୟ କରିଛନ୍ତି। ଏଥିସହ ୪ ସପ୍ତାହ ଭିତରେ ଜବାବୀ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
