ନୟାଗଡ଼: ନୟାଗଡ଼ ସଦର ପୁରୁଣା ସହର କେଉଟସାହିର ବୀର ଯବାନ ସୁବେଦାର ସୁଶାନ୍ତ କୁମାର ବେହେରା (ଦଣ୍ଡ)ଙ୍କର ୪୫ ବର୍ଷ ବୟସରେ ପରଲୋକ ଘଟିଛି। ସେ ଆସାମର ଗୌହାଟୀଠାରେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ମସ୍ତିଷ୍କରେ ସମସ୍ୟା ଦେଖାଦେବା ପରେ ତାଙ୍କୁ କୋଲକାତା ସ୍ଥିତ ପୂର୍ବ କମାଣ୍ଡୋ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ମସ୍ତିଷ୍କରେ ଅସ୍ତ୍ରୋପଚାର ୪ ତାରିଖ ରାତିରେ କରାଯାଇଥିବା ବେଳେ ଅସ୍ତ୍ରୋପଚାର ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ଜନ୍ମମାଟି ନୟାଗଡ଼କୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା।
ଜନ୍ମମାଟିର ଶ୍ମଶାନରେ ଭାରତୀୟ ସେନା ପକ୍ଷରୁ ସୁଶାନ୍ତ କୁମାର ବେହେରାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ତୋପ ସଲାମୀ ପ୍ରଦାନ କରାଯାଇଥିଲା। ଜଣେ କର୍ତ୍ତବ୍ୟନିଷ୍ଠ ଭାରତୀୟ ସେନା ଯବାନଙ୍କ ବିୟୋଗରେ ନୟାଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦେଶ ସେବାରେ ନିଜ ଜୀବନ ସମର୍ପିତ କରିଥିବା ସୁଶାନ୍ତଙ୍କ ତ୍ୟାଗକୁ ଅଞ୍ଚଳବାସୀ ସମ୍ମାନର ସହ ସ୍ମରଣ କରିଛନ୍ତି।ସୂଚନା ଯୋଗ୍ୟ ଦିବଂଗତ ସୁବେଦାର ବେହେରାଙ୍କ ସ୍ତ୍ରୀଙ୍କ ସହିତ ଝିଅ ଓ ପୁଅ ଉପସ୍ଥିତ ଥିଵା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ତହସିଲଦାର ରାକେଶ କେଶରୀ ସ୍ୱାଇଁ ଓ ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କ ପ୍ରତିନିଧି ଶ୍ରୀକାନ୍ତ କୁମାର ଖଟେଇ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦାନ କରିଥିଲେ |
