ବାଲେଶ୍ଵର :ସ୍ବାଭିମାନ ଅଞ୍ଚଳ ଛାତ୍ରୀ ହେବେ ଡାକ୍ତର । ପ୍ରଥମ ଆଦିମ ଦିଦାୟୀ ଯୁବତୀ ଚମ୍ପା ରାସପେଦା ହେବେ ଡାକ୍ତର । ମାଲକାନଗିରିର ସ୍ବାଭିମାନ ଅଞ୍ଚଳରୁ ଆସିଛନ୍ତି ସିଏ । ଏଠିବି ଏମିତି ପ୍ରତିଭା ରହିଥିବା ପ୍ରମାଣିତ କରିଛନ୍ତି । …ଏପଟେ ଝିଅ ହେବ ଡାକ୍ତର, ଏକଥା ଜାଣିବା ପରେ ଖୁସିରେ ପରିବାର ଲୋକଙ୍କ ପାଦ ତଳେ ଲାଗୁନି ଖାଲି ପରିବାର କାହିଁକି ପୂରା ଗାଁରେ ଖେଳି ଯାଇଛି ଆନନ୍ଦର ଲହରୀ । ଚମ୍ପା ରାସପେଦାଙ୍କୁ ଏବେ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ଖଇରପୁଟ ବ୍ଳକ୍ ନାକାମାମୁଡି ଗ୍ରାମ ପଞ୍ଚାୟତର ଆମ୍ଲିବେଡ଼ା ଗାଁ । ସେହି ଦୁର୍ଗମ ଗାଁର ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ଚମ୍ପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପ୍ରତିଭାଶାଳୀ ଯୁବତୀ ଚମ୍ପା ପ୍ରଥମ ଚେଷ୍ଟାରେ ହିଁ ସଫଳତାର ସହ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚମ୍ପା ନିଜ ଦୃଢ଼ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ବଳରେ ସଫଳତା ପାଇଛନ୍ତି ।

ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ପଢ଼ିବେ ଚମ୍ପା । ବାପା ଲାଛମୁ ରାସପେଦା ଜଣେ ଗରିବ ଚାଷୀ । ଚମ୍ପା ଚିତ୍ରକୋଣ୍ଡା ଏସଏସଡି ବାଳିକା ବିଦ୍ୟାଳୟରୁ ୨୦୧୯ରେ ଦଶମ ପାସ୍ କରିଥିଲେ । ପରେ ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପ୍ରଥମରୁ ପଞ୍ଚମ ନନ୍ଦିନୀଗୁଡା ଏସଏସଡି ଏଜୁକେସନାଲ କମ୍ପ୍ଲେକ୍ସ ଠାରେ ଅଧ୍ୟୟନ କରିଥିଲେ। ପାଠ ପଢ଼ି ବଡ଼ ମଣିଷ ହେବି, ଏଇ ଲକ୍ଷ୍ୟ ନେଇ କଠିନ ଅଧ୍ୟବସାୟ, ଦୃଢ଼ ସଂକଳ୍ପ ଓ ଅନେକ ସଙ୍ଘର୍ଷ କରିଥିଲେ । ଏହାପରେ ଏହି ଗୌରବ ହାସଲ କରିଛନ୍ତି ଚମ୍ପା। ସଫଳତା ପାଇଁ ବଡବେଲ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସଙ୍କୁ ସେ ଶ୍ରେୟ ଦେଇଛନ୍ତି ।

ଯୁକ୍ତ ୨ ପରେ ଶିକ୍ଷକ ଉତ୍କଳ କେଶରୀ ତାଙ୍କ ଭଉଣୀଙ୍କ ପାଖରେ ଚମ୍ପାଙ୍କୁ ରଖି ବାଲେଶ୍ବରର ଏକ କୋଚିଂ ସେଣ୍ଟରରେ ତାଲିମ ନେବାରେ ସହଯୋଗ କରିଥିଲେ । ନିଜସ୍ଵ ଅର୍ଥରେ ଚମ୍ପାଙ୍କୁ ପଢ଼ାଇ ଥିଲେ । ଏବେ ସବୁଠି ତାଙ୍କରି ଚର୍ଚ୍ଚା । ଜିଲ୍ଲା ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ହଳଧର ଶବର ତାଙ୍କୁ ସଫଳତା ଜଣାଇଛନ୍ତି । ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ମଧ୍ୟ ତାଙ୍କ ଅଭିନନ୍ଦନ ଜଣାଇଛନ୍ତି। ଚମ୍ପାଙ୍କର ଏହି ସଫଳତା ନିଶ୍ଚୟ ଅନ୍ୟ ଆଦିବାସୀ ଯୁବକ ଯୁବତୀ ଓ ବିଶେଷ ଭାବେ ଝିଅମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ଜିଲ୍ଲାପାଳ ।
