ବାଲେଶ୍ବର (ଭିଓଭି); ୯/୯ – ନାଟ୍ୟାନୁଷ୍ଠାନ ‘କଳାକାର’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ୨୬ତମ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ଡା. ଅମିତାଭ ଗିରିଙ୍କ ସଭାପତିତ୍ୱରେ ତଥା ନୂଆବାରସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ବୈଠକରେ ଉପଦେଷ୍ଟା ବସ୍ତା ବିଧାୟିକା ସୁବାସିନୀ ଜେନା, ସଦର ବିଧାୟକ ମାନସ କୁମାର ଦତ୍ତ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଡା. ମଧୁମାଳା ଗିରି, ଅନୀଲ କୁମାର ପଟ୍ଟନାୟକ, ଡ. ଲକ୍ଷ୍ମୀ ନାରାୟଣ ମହାନ୍ତି, ବିପ୍ଳବ କୁମାର ମହାନ୍ତି, ଅଞ୍ଜନ କୁମାର ଦେ, ବିଷ୍ଣୁ ପ୍ରସାଦ ମହାନ୍ତି, ସଂଗ୍ରାମ ଦାସ, ଦିବ୍ୟଜ୍ୟୋତି ଦାସମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆସନ୍ତା ଅକ୍ଟୋବର ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆୟୋଜନ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଇଚ୍ଛୁକ ବିଦ୍ୟାଳୟମାନେ ନାଟ୍ୟାନୁଷ୍ଠାନ ୱେବସାଇଟରୁ ଫର୍ମ ଡାଉନଲୋଡ କରି ଆବେଦନ ପାଇଁ ନିବେଦନ କରାଯାଇଛି । ଏହି ବୈଠକରେ ସମ୍ପାଦକ ଇଂ. ଶ୍ରୀତମ କୁମାର ସିଂହ ବଜେଟ ଉପସ୍ଥାପନ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ସୌମ୍ୟରଞ୍ଜନ ପ୍ରଧାନ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଡା. ଅସିତ କୁମାର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ତେବେ ବୈଠକରେ ଅନୁପସ୍ଥିତ ‘କଳାକାର’ର ସଭାପତି ସୁରଞ୍ଜନ ଦାସମହାପାତ୍ର ଆଭାସିରେ ଯୋଡ଼ି ହୋଇ ନିଜ ମତ ରଖିଥିଲେ।
