ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଆଜି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଅବଗତ କରାଇଛନ୍ତି।

ଅଗଷ୍ଟ ୨୧ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଅନୁମୋଦିତ ଏହି ପ୍ରୟାସ, ଶିକ୍ଷାର ପହଞ୍ଚକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ । ଚିଠିରେ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଉଲ୍ଲେଖ କରିଛନ୍ତି ସ୍କୁଲରେ ପଢୁଥିବା ସବୁ ଛାତ୍ରଛାତ୍ରୀ ବୈଧ ଆଇଡେଣ୍ଟି କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ । ସେମାନେ ସ୍କୁଲ୍ ୟୁନିଫର୍ମ ପିନ୍ଧିବା ଦରକାର ।

ଓଡିଶା ଷ୍ଟେଟ୍ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍ (OSRTC)କୁ ସବୁଠାରୁ ଅଧିକ ସ୍କୁଲକୁ ଅନ୍ତର୍ଭୁକ୍ତ କରିବା ପାଇଁ ବସ୍ ରୁଟ୍ ଏବଂ ସମୟସୂଚୀ ପୁନ ନିର୍ଦ୍ଧାରଣ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ରୁଟ୍ ପୁନର୍ମାପିଙ୍ଗ ପାଇଁ ଆବଶ୍ୟକୀୟ ତଥ୍ୟ ଯୋଗାଇବାକୁ କୁହାଯାଇଛି। ଏହାଦ୍ବାରା ରାଜସ୍ବ ହାନୀକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରାଯିବ।
