ଭଞ୍ଜନଗର : କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଯୋଗୁ ଖସୁଛି ବିରାଟ ବିରାଟ ପଥର । ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭୂସ୍ଖଳନ ପରେ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ଯାଏ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । କଳିଙ୍ଗା ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପଟେ ଭୂସ୍ଖଳନ ପାଇଁ ଘାଟି ତଳେ ରହିଥିବା ଦୁର୍ଗାପ୍ରସାଦ ଗାଁ ନିକଟରେ ଗଂଜାମ ପୋଲିସ ନାକା ଲଗାଇଛି । କୌଣସି ଯାନବାହାନ, ବାଇକ୍ ଆରୋହୀଙ୍କୁ ଘାଟିକୁ ଯିବାପାଇଁ ବାରଣ କରୁଛି । କାରଣ ବର୍ଷା ଜାରି ରହିଥିବାରୁ, ଘାଟିରେ ପଥର ଖସିବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳୁଛି ।

ଗତ ଦିନରେ ଦୁଇଥର ଭୂସ୍ଖଳନ ହୋଇଥିବା ସ୍ଥାନରେ ଅସ୍ଥାୟୀ ରାସ୍ତା ଟିଏ ତିଆରି ହେବା ପରେ ସେଠାରେ ପରୀକ୍ଷା ମୂଳକ ଭାବେ ନିର୍ମାଣ କରୁଥିବା ସଂସ୍ଥାର ହାଇଓ୍ବା ଯିବା ଆସିବା କରୁଛି ।
