କଟକ : ୩୬ ଘଣ୍ଟାର କର୍ଫ୍ୟୁ କବଳରୁ କଟକ ସହର ବାହାରିବା ପରେ ଶାନ୍ତ ରହିଛି ସହର । କୌଣସି ସ୍ଥାନରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ପରି ଘଟଣା ସାମ୍ନାକୁ ଆସି ନାହିଁ । ଆଜି କମିଶନରେଟ ପୋଲିସ ଏବଂ କେନ୍ଦ୍ରୀୟ ଫୋର୍ସ ପକ୍ଷରୁ ତନାଘନା । ବିଶେଷ କରି ବକ୍ସି ବଜାର ଛକଠାରୁ ଦରଘା ବଜାର ଜେଲ୍ ରୋଡ ପର୍ଯ୍ୟନ୍ତ ଅଞ୍ଚଳ ପୋଲିସ ଛାଉଣୀରେ ରହିଛି । ପୋଲିସ କମିଶନର ଏବଂ କଟକ ଡିସିପି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଗତ ୩ ତାରିଖ ଦିନ ଭସାଣି ସମୟରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ଗତ ୫ ତାରିଖ ସନ୍ଧ୍ୟାରେ ରାଲି ସମୟରେ ଘଟିଥିବା ହିଂସା କାଣ୍ଡ ଘଟଣାରେ ୨୦ ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଆଗକୁ କାଳୀ ପୂଜା ରହିଛି । ସବୁ କିଛି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବ ବୋଲି କହିଛନ୍ତି ପୋଲିସ କମିଶନର । ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି ।

