ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମ ରେ ପୋଖରୀ ରେ ଭାସୁଥିବା ଅବସ୍ଥାରେ ଜଣେ ମହିଳା ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ରଜିଆ ଗ୍ରାମ ର ଲକ୍ଷ୍ମଣ ମୁଣ୍ଡା ଙ୍କ ସ୍ତ୍ରୀ କମଲି ମୁଣ୍ଡା (୨୮) ହୋଇଥିବା ବେଳେ ଗତ କାଲି ଅପରାହ୍ନ ରେ କମଲି ନିକଟସ୍ଥ ଅସନବାହାଳି ସାହିକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳୁ ଗ୍ରାମବାସୀ ପୋଖରୀ ତୁଠ ରେ କମଲି ଙ୍କ ଚପଲ ଥୁଆ ହୋଇଥିବା ଦେଖିବା ସହ କମଲି ଙ୍କ ମୃତଦେହ ପୋଖରୀ ରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଏ ନେଇ କମଲି ଙ୍କ ପରିବାର ଲୋକଙ୍କ ସହ ପୁଲିସ କୁ ଖବର ଦେଇଥିଲେ ।
ଖବର ପାଇ ଚମ୍ପୁଆ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ପୋଖରୀ ରୁ ମୃତଦେହ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଘଟଣା ର ଅଧିକ ତଦନ୍ତ ଆରମ୍ଭ କରିଛି। ଶୌଚ ହେବାକୁ ଯାଇ ମହିଳା ଜଣଙ୍କ ପୋଖରୀ ରେ ବୁଡି ଯାଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି।
