ଭୁବନେଶ୍ବର: ବିଜେଡି ଛାଡି କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ତାହାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ଜୟ ଢୋଲକିଆ । ଆଜି କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି ବିଜେଡି ବାପାଙ୍କୁ ପଚାରିନଥିଲା। ଯେଉଁ ନେତାମାନେ ଦଳରେ ଜୀବନ ସାରା ରହିଲେ , ତାଙ୍କୁ ନା ଫୋନ୍ କଲେ ନା ସହଯୋଗ।
ଶେଷ ଅବସ୍ଥାରେ ଯେତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେତେବେଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୁଁ ପୁଅ ହୋଇ ବି ସେମାନେ ମୋତେ ଡାକିନଥିଲେ। ତେଣୁ ମୁଁ ଦଳ ଛାଡିଲି।
ସେ ଆଉ ମଧ୍ୟ କହିଛନ୍ତି ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା ପାଇଁ ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା। ସୂଚନା ଯୋଗ୍ୟ; ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେବାକୁ ଯାଉଛି । ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଭୋଟ୍ ଗ୍ରହଣ ହେବ ।
