ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରପାଳିକା କୁ ଜିଲ୍ଲାର ଏକ ପ୍ରତିଷ୍ଠିତ ପୌରପାଳିକା ଭାବରେ ବିବେଚନା କରାଯାଇଥାଏ l ଏଠାରେ ଏକାଧିକ ଖଣି ଓ ଶିଳ୍ପ ସଂସ୍ଥା ରହିଥିବା ବେଳେ ସେମାନେ ମଧ୍ୟ ସାମାଜିକ ଦାୟିତ୍ୱବୋଧ ଯୋଜନା ମାଧ୍ୟମରେ ନିଜ ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି l ବିଭିନ୍ନ ଖଣି ଓ ଶିଳ୍ପ ସଂସ୍ଥା ଅନୁଦାନରେ ବଡ଼ବିଲ ପୌରାଞ୍ଚଳରେ ଅନେକ ବୃହତ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି l ଏହା ସତ୍ତ୍ୱେ ମଧ୍ୟ ବଡ଼ବିଲ ପୌରାଞ୍ଚଳରେ କିଛି ଦିନ ହେଲା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ହେଉଛି l ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ନ୍ୟୁ – ମାର୍କେଟ ରେଲୱେ କ୍ରୋସିଂ, ଷ୍ଟେସନ ରୋଡ଼, ହରିହର ମନ୍ଦିର ଠାରୁ ଶାନ୍ତବାହାଳ ରାସ୍ତା ଆଦି ଅଞ୍ଚଳରେ ବିଭିନ୍ନ ସମୟରେ ଅଳିଆ ଆବର୍ଜନା ପଡି ରହୁଥିବା ଦେଖିବାକୁ ମିଳୁଛି l ସେହିପରି ଆଉ କେତେକ ଅଞ୍ଚଳରେ ପଡି ରହିଥିବା ଆବର୍ଜନାକୁ ବିଳମ୍ବରେ ଉଠା ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ବାତାବରଣ କୁ ନଷ୍ଟ କରୁଥିବା ଅଭିଯୋଗ ହେଉଛି l ଏହା ଦ୍ୱାରା ମଶା ମାଛି ଙ୍କ ବଂଶ ବିସ୍ତାର ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ, ମ୍ୟାଲେରିଆ ଆଦି ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି l
ଏଠାରେ ପ୍ରକାଶ ଯେ ଲକ୍ଷ୍ମଣ ମହାନ୍ତ ବଡ଼ବିଲ ପୌରାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ବଡ଼ବିଲ ସହର ର ପରିମଳ ବ୍ୟବସ୍ଥା କୁ ଅଧିକ ଗୁରୁତ୍ୱ ଦେଇଥିଲେ l ନିଜେ ଉପସ୍ଥିତ ରହି ସଫେଇ କାର୍ଯ୍ୟର ତଦାରଖ କରିଥିଲେ l ତେବେ ଜଣେ ପୌରାଧ୍ୟକ୍ଷ ଭାବେ ତାଙ୍କର ଆହୁରି ମଧ୍ୟ ଅନେକ ଦାୟିତ୍ୱ ରହିଥିବା ବେଳେ ସବୁବେଳେ ସଫେଇ କାର୍ଯ୍ୟର ତଦାରଖ କରିବା ସମ୍ଭବ ନୁହେଁ l ଆଜି ମଧ୍ୟ କୌଣସି ୱାର୍ଡ ରୁ ଅଭିଯୋଗ ଆସିଲେ ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ ଓ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସେଠାକୁ ଯାଇ ସମସ୍ୟା ର ସମାଧାନ କରୁଥିବା ଦେଖିବାକୁ ମିଳୁଛି l ତେବେ ବଡ଼ବିଲ ପୌରାଞ୍ଚଳ ର ପରିମଳ ଦାୟିତ୍ୱ ଏକ ଘରୋଇ ଠିକା ସଂସ୍ଥାକୁ ଦିଆଯାଇଛି l ମାତ୍ର ସମ୍ପୃକ୍ତ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ପୌର କର୍ମଚାରୀଙ୍କ ଉପଯୁକ୍ତ ତଦାରଖ ଅଭାବରୁ ପରିମଳ ବ୍ୟବସ୍ଥା ସୁଧୁରି ପାରୁ ନଥିବା ଅଭିଯୋଗ ହେଉଛି l ଏଣୁ ଯଥା ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବୀ ହେଉଛି।
