ନୂଆଦିଲ୍ଲୀ: ଭାରତୀୟ ସେନା ସୋସିଆଲ୍ ମିଡିଆ ବ୍ୟବହାର ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛି । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ କେବଳ ଦେଖିବା ଏବଂ ତଦାରଖ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ସେମାନେ କୌଣସି ପୋଷ୍ଟ କରିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟକୁ ଲାଇକ୍ କରିପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ଡିଜିଟାଲକ କାର୍ଯ୍ୟକଳାପ ସମ୍ପର୍କରେ ସେନା ପାଇଁ ପୂର୍ବରୁ ପ୍ରଯୁଜ୍ୟ ଅନ୍ୟ ସମସ୍ତ ନିୟମ ସମାନ ରହିବ । ଏଥିସହ, ଏହି ନିର୍ଦ୍ଦେଶ ସେନାର ସମସ୍ତ ୟୁନିଟ୍ ଏବଂ ବିଭାଗକୁ ଜାରି କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସୈନିକମାନଙ୍କୁ ସୋସିଆଲ ମିଡିଆରେ ଥିବା ବିଷୟବସ୍ତୁ ଦେଖବା, ସୂଚନା ସଂଗ୍ରହ କରିବା ପାଇଁ ଅନୁମତି ଦେବା, ଯାହା ଦ୍ବାରା ସେମାନେ ନକଲି ବିଷୟବସ୍ତୁକୁ ଚିହ୍ନି ପାରିବେ ।
ନୂଆ ନିୟମ ଅନୁଯାୟୀ, ସୈନିକମାନେ ସୋସିଆଲ୍ ମିଡିଆରେ ନକଲି କିମ୍ବା ସନ୍ଦେହଜନକ ପୋଷ୍ଟ ବିଷୟରେ ସୋମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିପାରିବେ । ଭାରତୀୟ ସେନା ସମୟ ସମୟରେ ଫେସବୁକ୍, ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ସମ୍ପର୍କରେ ନର୍ଦ୍ଦେଶାବଳୀ ଜାରି କରିଛି, ଯାହା ପୂର୍ବରୁ ସୁରକ୍ଷା ଦ୍ରୁଷ୍ଟିରୁ ପ୍ରତିବଦ୍ଧିତ ଥିଲା ।
ବିଦେଶୀ ଏଜେନ୍ସି ଦ୍ବାରା ବିଛାଯାଇଥିବା ଜାଲରେ ପଡି କିଛି ସୈନିକ ଅଜାଣତରେ ସମ୍ବେଦନଶୀଳ ସୂଚନା ଲିକ୍ କରୁଥିବା ଅନେକ ମାମଲାକୁ ଦ୍ରୁଷ୍ଟିରେ ରଖି ଏକ କଠୋର ନିୟମାବଳୀ ସ୍ରୁଷ୍ଟି କରାଯାଇଥିଲା । ଏହା ଦ୍ବାରା ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣରେ ଆବଶ୍ୟକତା ପଡ଼ିଲା । ନିକଟରେ ଭାରୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଚାଣକ୍ୟ ପ୍ରତିରକ୍ଷା ଆଲୋଚନା ସମୟରେ ସେନା କର୍ମଚାରୀଙ୍କ ଦ୍ବାରା ସୋସିଆଲ୍ ମିଡିଆ ବ୍ୟବହାର ଉପରେ ତାଙ୍କର ମତାମତ ସେୟାର କରିଥିଲେ ।
