ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ମାମଲାରେ ଥମିବାରେ ନାଁ ଧରୁନି । ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି । ସୋମବାର ରାତିରେ ନରସିଙ୍ଗଡି ଜିଲ୍ଲାର ଚାରସିନ୍ଦୁର ବଜାରରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଉଛି । ମୃତକ ମୌନୀ ଚକ୍ରବର୍ତ୍ତୀ(୪୦) ବୋଲି ଜଣାପଡିଛି । ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ମୌନୀ ଦୋକାନରେ ବସିଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
ମୌନୀ ଚକ୍ରବର୍ତ୍ତୀ ଶିବପୁର ଉପଜିଲ୍ଲାରେ ରହୁଥିଲେ । ମୌନୀ ଚକ୍ରବର୍ତ୍ତୀ ବହୁତ ଶାନ୍ତ ସ୍ବଭାବର ରହିଥିଲେ । ତାଙ୍କର କାହା ସହିତ ବିବାଦ ନଥିଲା । ତେବେ ବଜାରରେ ହତ୍ୟା ପରେ ଅନ୍ୟମାନେ ଭୟଭୀତ ହୋଇଛନ୍ତି । ତେବେ ତୁରନ୍ତ ଆକ୍ରମଣକାରୀକୁ ଗିରଫ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ହିନ୍ଦୁ ସମୁଦାୟ ପକ୍ଷରୁ ଦାବି ହୋଇଛି ।

ଏହା ପୂର୍ବରୁ ଯଶୋର ଜିଲ୍ଲାରେ ଜଣେ ୪୫ ବର୍ଷୀୟ କାରଖାନା ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ତାଙ୍କ ନାମ ରାଣା ପ୍ରତାପ (୪୫)। ରାଣା ପ୍ରତାପ ଜଣେ ସାମ୍ବାଦିକ । ସେ ବାଂଲାଦେଶର ଏକ ଦୈନିକ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ । ଏହା ସହିତ ସେ ନିଜର ଏକ କାରଖାନା ଚଳାଉଥିଲେ । ସୋମବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ତାଙ୍କୁ ଯଶୋର ଜିଲାର କୋପାଳିଆ ବଜାରରେ ଗୁଳି କରି ହତ୍ୟା କରାଯାଇଥିଲା ।
ଏହାପୂର୍ବରୁ କପଡା କାରଖାନାରେ କାମ କରୁଥିବା ଦୀପୁଚନ୍ଦ୍ର ଦାସଙ୍କୁ ଭିଡ଼ରେ ପିଟି ପିଟି ହତ୍ୟା କରାଯାଇଥିଲା । ୩୧ ଡିସେମ୍ବରରେ ବେପାରୀ ଖୋକନ ଦାସଙ୍କୁ ଆକ୍ରମଣ କରି ନିଆଁ ଲଗାଇ ମାରିଦେଇଥିଲେ ।
