ଭୁବନେଶ୍ୱର, ଅଗଷ୍ଟ ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଆୟୋଜିତ ଏନ୍ସିସିର ୧୦ ଦିନିଆ ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର (କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାଂପ–କ୍ୟାଟ୍କ) ଶନିବାର ଉଦ୍ଯାପିତ ହୋଇଯାଇଛି । ଏହି ଶିବିରରେ ପ୍ରାୟ ୫୦୦ ଜଣ ସିନିୟର ଓ ଜୁନିୟର ଏନ୍ସିସି କ୍ୟାଡେଟ ଅଂଶଗ୍ରହଣ କରିଥିଲେ । ଏହି ଶିବିରକୁ ୪ (ଓଡ଼ିଶା) କମ୍ପ୍ୟୁଟର ଟେକ୍ନିକାଲ୍ କଂପାନୀ, କଟକ ପକ୍ଷରୁ ଆୟୋଜନ କରାଯାଇଥିଲା ।ଶିବିରରେ ଗାର୍ଡ ଓ ପାଇଲଟ୍ ଚୟନ, କଠୋର ଡ୍ରିଲ୍ ପ୍ରଶିକ୍ଷଣ, ଶ୍ରେଷ୍ଠ କ୍ୟାଡେଟ ଓ ଶ୍ରେଷ୍ଠ ଡ୍ରିଲ୍ ପ୍ରତିଯୋଗିତା, କ୍ରୀଡ଼ା ପ୍ରତିଯୋଗିତା, ବିପର୍ଯ୍ୟୟ ପରିଚାଳନା ସଚେତନତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନେତୃତ୍ୱ ବିକାଶ ସଂପର୍କିତ ବିଭିନ୍ନ ଅଧିବେଶନ ସହ ସାମରିକ ପ୍ରଶିକ୍ଷଣର ଏକ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିବିରର କମାଣ୍ଡାଂଟ ଭାବେ ଲେଫ୍ଟନାଂଟ କର୍ଣ୍ଣେଲ ଆର୍. କେ. ଯୋଶୀ ଏବଂ ଉପ-କମାଣ୍ଡାଂଟ ଭାବେ ମେଜର ଆଶୁତୋଷ ତ୍ରିପାଠୀ ଦାୟିତ୍ୱ ତୁଲାଇଥିଲେ ।ଆଇଟିଇଆର, ସି. ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟି ଏବଂ ଆର୍ୟନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର କ୍ୟାଡେଟମାନେ ଏହି ଶିବିରରେ ଯୋଗ ଦେଇଥିଲେ । ଯୁବ କ୍ୟାଡେଟମାନଙ୍କୁ ଭବିଷ୍ୟତର ଟେକ୍ନୋପ୍ରେନ୍ୟୁଅର୍ସ, କୃଷି ଉଦ୍ୟୋଗୀ, ବୈଜ୍ଞାନିକ, ଟେକ୍ନୋକ୍ରାଟ୍ସ, ପ୍ରାଣୀ ଚିକିତ୍ସକ ଓ ଗବେଷକ ଭାବେ ଗଢ଼ି ତୋଳିବା ଏବଂ ସେମାନଙ୍କୁ ପ୍ରେରିତ ଓ ସଶକ୍ତ କରିବା ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ।

ଶିବିର ପରିଚାଳନାରେ ୯ ଜଣ ଆସୋସିଏଟ ଏନ୍ସିସି ଅଫିସର ଓ ୮ ଜଣ ସ୍ଥାୟୀ ପ୍ରଶିକ୍ଷକ ସକ୍ରିୟ ସହଯୋଗ କରିଥିଲେ । ଶିବିରର ଅନ୍ୟତମ ପ୍ରମୁଖ ଆକଷର୍ଣ ଥିଲା ‘ଇଗ୍ନାଇଟିଂ ମାଇଣ୍ଡ’ ଶୀର୍ଷକ ଟେକ୍ ଫେଷ୍ଟ । ଏଥିରେ ସିନିୟର ଡିଭିଜନ କ୍ୟାଡେଟମାନେ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ରୋବୋଟିକ୍ସ, ଅଟୋମେସନ୍, ନବୀକରଣ ଯୋଗ୍ୟ ଶକ୍ତି ଏବଂ ବିଭିନ୍ନ ଇଞ୍ଜିନିୟରିଂ ପ୍ରୟୋଗ ସମ୍ବନ୍ଧୀୟ ୨୦ରୁ ଅଧିକ କାର୍ଯ୍ୟକ୍ଷମ ପ୍ରକଳ୍ପ ପ୍ରଦର୍ଶନ କରି ସେମାନଙ୍କର ବୈଜ୍ଞାନିକ ମନୋଭାବ ଓ ବୈଷୟିକ ଦକ୍ଷତାର ପରିଚୟ ଦେଇଥିଲେ ।ଶିବିରର ସଫଳ ଆୟୋଜନ, କ୍ୟାଡେଟମାନଙ୍କ ଉଚ୍ଚସ୍ତରୀୟ ଶୃଙ୍ଖଳା, ପ୍ରଶିକ୍ଷଣର ମାନ ଓ ଅଭିନବ ପ୍ରଦର୍ଶନକୁ ଏନ୍ସିସି ଗ୍ରୁପ୍ ମୁଖ୍ୟାଳୟ, କଟକର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଏସ୍. ଜି. ସୁଧାଂଶୁ ଶେଖର ଉଚ୍ଚ ପ୍ରଶଂସା କରିଥିଲେ । ସେ ଶିବିରର କର୍ମଚାରୀ, ଆସୋସିଏଟ ଏନ୍ସିସି ଅଫିସର, ସ୍ଥାୟୀ ପ୍ରଶିକ୍ଷକ ଏବଂ ସମସ୍ତ କ୍ୟାଡେଟଙ୍କ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ଭୂୟସୀ ପ୍ରଶଂସା କରିଥିଲେ ।
