ନୂଆଦିଲ୍ଲୀ : ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଟର୍ବୁଲାନ୍ସ ଘଟଣା ପରେ କମ୍ପାନୀ ବଡ଼ ପଦେକ୍ଷପ ନେଇଛି । ଏୟାର ଇଣ୍ଡିଆ ଗ୍ରୁପର ସମସ୍ତ ପାଇଲଟଙ୍କର ଏବେ ବାଧ୍ୟତାମୂଳକ ଡ୍ରଗ୍ସ ଟେଷ୍ଟ କରାଯିବ । ଏହି ଯାଞ୍ଚରେ ନିଷିଦ୍ଧ ପଦାର୍ଥ ଏବଂ ଔଷଧ ସେବନ ସମ୍ପର୍କରେ ପରୀକ୍ଷା କରାଯିବ । ଏହି ଟେଷ୍ଟିଂ ଆଜିଠାରୁ ଆରମ୍ଭ ହେବ । ଗୁରୁଗ୍ରାମ ଏକାଡେମୀ, ଫ୍ଲାଇଟ୍ ବ୍ରିଫିଂ ସେଣ୍ଟର ଏବଂ ବିଭିନ୍ନ ବେସ୍ ଲୋକେସନରେ ଏହି ଯାଞ୍ଚ ବ୍ୟବସ୍ଥା କରାଯିବ ।

କମ୍ପାନୀ ଅନୁସାରେ, ପାଇଲଟମାନଙ୍କର ଟ୍ରେନିଂ ଏବଂ ଉଡ଼ାଣ ପରେ ମଧ୍ୟ ସ୍କ୍ରିନିଂ କରାଯିବ । କମ୍ପାନୀ ପୂର୍ବରୁ ହିଁ DGCAର ସମସ୍ତ ନିୟମ ପାଳନ କରୁଛି । ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଆହୁରି ମଜବୁତ କରିବା ଏବଂ ଏୟାର ଇଣ୍ଡିଆ ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ନିୟମଠାରୁ ଆଗକୁ ଯାଇ ସମସ୍ତ ପାଇଲଟଙ୍କ ସ୍କ୍ରିନିଂ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଅଗଷ୍ଟ ୪ ତାରିଖରେ ଦିଲ୍ଲୀରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆର AI2379 ବିମାନରେ ଟର୍ବୁଲାନ୍ସ ହୋଇଥିଲା । ଫୁକେଟରୁ ଦିଲ୍ଲୀ ଫେରିବା ସମୟରେ ବିମାନଟି ହଠାତ୍ ପ୍ରାୟ ୩୦୦ ଫୁଟ୍ ତଳକୁ ଖସିଥିଲା । ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ । ଘଟଣାର ତଦନ୍ତ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB କରୁଛି। ଏହି ମାମଲାରେ ପାଇଲଟଙ୍କ ଦ୍ୱାରା କଥିତ ଭାବେ ଗଞ୍ଜେଇ ସେବନ କରାଯାଇଥିବା ଦାବି ସାମ୍ନାକୁ ଆସିଛି । ଜଣେ କ୍ରୁ ସଦସ୍ୟ ଏନେଇ ଅଭିଯୋଗ କରିଥିବା ମଧ୍ୟ କୁହାଯାଇଛି ।
