ନୂଆଦିଲ୍ଲୀ : ଘରୋଇ ଟିଭି ଚ୍ୟାନେଲଙ୍କୁ କେନ୍ଦ୍ର ସରକାରଙ୍କ ଚେତାବନୀ । ଏଆଇ ଅପବ୍ୟବହାର ଉପରେ ରୋକ ଲଗାଇବା ନିର୍ଦ୍ଦେଶ । ଦେଶର ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କରାଯାଇଛି । ଟିଭି ଚ୍ୟାନେଲ୍ ଗୁଡ଼ିକୁ ପ୍ରୋଗ୍ରାମ୍ କୋଡ୍ କଡ଼ାକଡ଼ି ପାଳନ କରିବାକୁ ଏଥିରେ କୁହାଯାଇଛି । ନିୟମ ଉଲ୍ଲଂଘନ କଲେ କେବଲ୍ ଟେଲିଭିଜନ୍ ନେଟୱର୍କ (ନିୟନ୍ତ୍ରଣ) ଆଇନ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି ।
ଚ୍ୟାନେଲ୍ ଗୁଡ଼ିକୁ ସମ୍ପୂର୍ଣ୍ଣ ଦାୟିତ୍ୱବାନ ଭାବେ ଖବର ପରିବେଷଣ କରିବାକୁ କୁହାଯାଇଛି । ସୁରକ୍ଷା ବାହିନୀର ଆତଙ୍କବାଦ ବିରୋଧୀ ଅଭିଯାନର ସିଧା ପ୍ରସାରଣ ଉପରେ କଟକଣା ରହିଛି। ଅଭିଯାନ ଶେଷ ହେବା ପର୍ଯ୍ୟନ୍ତ ଗଣମାଧ୍ୟମ କେବଳ ଅଧିକୃତ ଅଧିକାରୀଙ୍କ ନିୟମିତ ସୂଚନା ଉପରେ ନିର୍ଭର କରିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଦୃଶ୍ୟରେ ତାରିଖ ଓ ସମୟ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି ।
ଅପରାଧ, ହିଂସା ଓ ଅନ୍ୟାନ୍ୟ ସମ୍ବେଦନଶୀଳ ଘଟଣାର ଖବର ପ୍ରସାରଣ ବେଳେ ଯାଞ୍ଚ ହୋଇଥିବା ତଥ୍ୟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଦର୍ଶକଙ୍କୁ ଅଯଥା ମାନସିକ ଚାପ ଦେଉଥିବା ଦୃଶ୍ୟର ବାରମ୍ବାର ପ୍ରସାରଣ ନ କରିବା ଏବଂ ଆବଶ୍ୟକ ସ୍ଥଳେ ଦୃଶ୍ୟକୁ ବ୍ଲର୍ କରିବାକୁ ପରାମର୍ଶ ଦିଆଯାଇଛି । ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ଖବର ପ୍ରସାରଣରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ହେବ ।
ଖବର, ଗ୍ରାଫିକ୍ସ ଓ ଭର୍ଚୁଆଲ୍ ନ୍ୟୁଜ୍ ପ୍ରେଜେଣ୍ଟେସନରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରିବା ବେଳେ ସତର୍କ ରହିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। AI କେବଳ ସହାୟକ ଭାବେ ବ୍ୟବହାର ହେବା ଉଚିତ ଏବଂ ଏହାଦ୍ୱାରା ଖବରର ସଠିକତା, ପ୍ରାମାଣିକତା ଓ ସମ୍ବେଦନଶୀଳତା ପ୍ରଭାବିତ ହେବା ଉଚିତ ନୁହେଁ।
ଏହା ସହିତ କାର୍ଯ୍ୟକ୍ରମ, ଗ୍ରାଫିକ୍ସ ଏବଂ ଭର୍ଚୁଆଲ୍ ସମ୍ବାଦ ପରିବେଷଣ ସମୟରେ ଏଆଇ ଏବଂ ଜେନେରେଟିଭ୍ ଏଆଇ ଉପକରଣର ବ୍ୟବହାର ବେଳେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପ୍ରସାରଣକାରୀଙ୍କୁ ପରାମର୍ଶ ଦିଆଯାଇଛି । ଖବରର ସଠିକତା, ପ୍ରାମାଣିକତା ଏବଂ ସମ୍ବେଦନଶୀଳତାକୁ କ୍ଷତି ନପହଞ୍ଚାଇ ଏଆଇ ଉପକରଣକୁ କେବଳ ସହାୟକ କ୍ଷମତାରେ ସୀମିତ ରଖାଯାଇପାରିବ । ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସାରଣକାରୀ ସଂସ୍ଥାକୁ ସେମାନଙ୍କର ସମ୍ପାଦକୀୟ ଏବଂ କଣ୍ଟେଣ୍ଟ ରିଭ୍ୟୁ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
