ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି । ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାବାହୁ । ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହୋଇଛି । ଏକମାସ ଧରି ସ୍ବତନ୍ତ୍ର ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ ।
କାର୍ତ୍ତିକ ମାସରେ ଶ୍ରୀଜୀଉ ମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ । ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ । ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳଧୂପ ନାମରେ ପରିଚିତ । ସକାଳଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା, ଦୋଭଜା, ଲିଆ, ଅଦା,ଖଇ, ନଡିଆ, ଖୁଦ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ । ତେବେ ଠାକୁରଙ୍କର ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେପଟେ ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ଅନୁଷ୍ଠିତ ହେବ । ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୫୦ଟି ମେଢ ଏକାଠି ହେବେ ।
