ମୁମ୍ବାଇ: ମୁମ୍ବାଇ କୋଷ୍ଟାଲ ରୋଡରେ ଭୟାବହ ଦୁର୍ଘଟଣା ଘଟିଛି । ବ୍ରିଜରୁ ଖସିଲା ଦ୍ରୁତଗାମୀ BMW । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସମ୍ପୂର୍ଣ୍ଣ ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇରହିଛି ।
ସୂଚନାନୁଯାୟୀ, ପ୍ରାୟ ୫ଟା ୨୦ ମିନିଟ୍ ରେ ଲାଲା ଲାଜପତରାୟ କଲେଜ ସମ୍ମୁଖରେ ଥିବା ଲୋଟସ୍ ଜେଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୋଡାଣି ନିକଟରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ BMW ଏକ ଡିଭାଇଡରରେ ପିଟି ହୋଇ ପୋଲ ତଳକୁ ଖସି ପଡିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି କାରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ହସ୍ପିଟାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଆହତ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏବେ ମୃତ ଏବଂ ଆହତ ଲୋକଙ୍କ ପରିଚୟକୁ ଚିହ୍ନଟ କରିଛି ପୋଲିସ୍ । ମୃତକ ହେଲେ ଧୈର୍ଯ୍ୟ ଦର୍ଶନ ସେଠ (୧୭), ଆଦିତ୍ୟ ଜାକସାନିଆ (୧୯), ଏବଂ ଶନୟ ଗଜ୍ଜର (୨୧) ଏବଂ ଆହତ ହେଲେ ଆଦିତ୍ୟ କଳ୍ପେଶ୍ୱର ଓସୱାଲ (୨୩) ।
ଅନ୍ୟପଟେ ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିସହ ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।
