ରଣପୁର, ୩୦/୦୯: ସର୍ବଭାରତୀୟ ସ୍ତରରେ MY Bharat ପକ୍ଷରୁ ଆୟୋଜିତ ସେବା ପକ୍ଷ ଅଭିଯାନ ଅବସରରେ ରଣପୁର ଅଞ୍ଚଳରେ ପରିବେଶ ସୁରକ୍ଷାକୁ ନେଇ ଏକ ସଚେତନତାମୂଳକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।
ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁଥିବା ଏହି ସେବା ପକ୍ଷ ଅଭିଯାନର ପରିପ୍ରେକ୍ଷୀରେ ୨୯ ସେପ୍ଟେମ୍ବର ୨୦୨୬ରେ ବୃକ୍ଷରୋପଣ, ପ୍ଲାଷ୍ଟିକ୍ ମୁକ୍ତ ସଚେତନତା ଏବଂ ପରିବେଶ ଅନୁକୂଳ ବିକଳ୍ପର ବ୍ୟବହାର ଉପରେ ଏହି ବୈଠକ ଆୟୋଜିତ ହୋଇଥିଲା।ଅଧିବେଶନରେ ଏକକ-ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ର ବ୍ୟବହାର କମାଇବା ସହିତ ପ୍ଲାଷ୍ଟିକ୍ର ବିକଳ୍ପ ଭାବେ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍, ପତ୍ର ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ପରିବେଶ ସୁରକ୍ଷା ପାଇଁ ‘ଗଛ ଲଗାଇବା ସହ ଗଛକୁ ବଞ୍ଚାଇବା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ଅଞ୍ଚଳରେ ‘ଗଛ ସାର’ ଭାବେ ପରିଚିତ ପ୍ରକୃତିପ୍ରେମୀ କୈଳାସଚନ୍ଦ୍ର ରଥ ଯୋଗଦେଇ ପରିବେଶ ସୁରକ୍ଷାରେ ବୃକ୍ଷର ଗୁରୁତ୍ୱ ଓ ପ୍ଲାଷ୍ଟିକ୍ ପ୍ରଦୂଷଣର କୁପ୍ରଭାବ ସମ୍ପର୍କରେ ଉପସ୍ଥିତ ଯୁବପିଢ଼ିଙ୍କୁ ସଚେତନ କରିଥିଲେ। ପରିବେଶ ସୁରକ୍ଷା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ ନୁହେଁ, ଏହାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ MY Bharat ରଣପୁର ବ୍ଲକ ପ୍ରତିନିଧି ସଂଜୀବ କୁମାର ପ୍ରଧାନ। ସେବା ପକ୍ଷ ଅଭିଯାନ ମାଧ୍ୟମରେ ଯୁବପିଢ଼ିଙ୍କୁ ସମାଜସେବା, ପରିବେଶ ସୁରକ୍ଷା ଓ ଦାୟିତ୍ୱବୋଧ ସହିତ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ।
ପରିବେଶ ସୁରକ୍ଷା ପାଇଁ “ପ୍ଲାଷ୍ଟିକ୍କୁ ନା, ପ୍ରକୃତିକୁ ହଁ” ଏବଂ “ଆଜି ଗୋଟିଏ ଗଛ, ଆସନ୍ତାକାଲି ସୁସ୍ଥ ପରିବେଶ” ଭଳି ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ଯୁବକ-ଯୁବତୀ ଓ ସାଧାରଣ ଲୋକଙ୍କୁ ପରିବେଶ ପ୍ରତି ଅଧିକ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା।ସମସ୍ତଙ୍କ ମିଳିତ ପ୍ରୟାସରେ ଏକ ସବୁଜ, ସୁସ୍ଥ ଓ ପ୍ଲାଷ୍ଟିକ୍ମୁକ୍ତ ସମାଜ ଗଠନ କରାଯାଇପାରିବ—ଏହି ସଂକଳ୍ପ ସହ କାର୍ଯ୍ୟକ୍ରମଟି ସମାପ୍ତ ହୋଇଥିଲା।
