ଭୁବନେଶ୍ୱର: ଜୈବ ପ୍ରଯୁକ୍ତିବିଦ୍ୟା, ଅଣୁଜୀବ ବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତାର ସମନ୍ୱୟ ଉପରେ ଆଧାରିତ ଅନ୍ତର୍ଜାତୀୟ ସମ୍ମିଳନୀ ‘କନଭର୍ଜେନ୍ସ ଅଫ୍ ବାୟୋଟେକ୍ନୋଲୋଜି, ମାଇକ୍ରୋବାୟୋଲୋଜି ଆଣ୍ଡ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ’(ସିଓବିଏମ୍ଏଆଇ)ର ବିବରଣିକା ମିଟ୍ସ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲୋଜି (ଏମ୍ଏସ୍ବି) ପରିସରରେ ଉନ୍ମୋଚିତ ହୋଇଯାଇଛି । ଏମ୍ଏସ୍ବି ପକ୍ଷରୁ ମାଇକ୍ରୋବାୟୋଲୋଜିଷ୍ଟସ୍ ସୋସାଇଟି, ଇଣ୍ଡିଆର ସହଯୋଗରେ ଆସନ୍ତା ୨୦୨୭ ଜାନୁଆରୀ ୨୩ ଓ ୨୪ ତାରିଖରେ ଏହି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ । ଜୈବ ପ୍ରଯୁକ୍ତିବିଦ୍ୟା, ଅଣୁଜୀବ ବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତା ମଧ୍ୟରେ ଆନ୍ତଃବିଷୟକ ସହଯୋଗକୁ ପ୍ରୋତ୍ସାହିତ କରିବା ସହ ସ୍ଥାୟୀ ବିକାଶ ଏବଂ ସର୍କୁଲାର ଇକୋନୋମିର ବିକାଶ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ସମ୍ମିଳନୀରେ ଦେଶବିଦେଶର ବିଶିଷ୍ଟ ବୈଜ୍ଞାନିକ, ଶିକ୍ଷାବିତ୍, ଗବେଷକ ଓ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞମାନେ ଏକତ୍ରିତ ହୋଇ ନିଜ ନିଜର ଗବେଷଣା ଓ ଅଭିଜ୍ଞତା ବିନିମୟ କରିବେ । ଏଥିରେ ମୁଖ୍ୟ ବକ୍ତୃତା, ଗବେଷଣାତ୍ମକ ଉପସ୍ଥାପନା ଏବଂ ଭାବ ବିନିମୟମୂଳକ ଅଧିବେଶନ ଆୟୋଜିତ ହେବ । ଏହା ନୂତନ ଗବେଷଣା, ନବସୃଜନ ଓ ସହଯୋଗମୂଳକ ପ୍ରୟାସକୁ ଉତ୍ସାହିତ କରିବା ସହ ସମାଜ ଓ ପରିବେଶ ସମ୍ମୁଖୀନ ହେଉଥିବା ଉଦୀୟମାନ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ ସହାୟକ ହେବ ।
ବିବରଣିକା ଉନ୍ମୋଚନ କାର୍ଯ୍ୟକ୍ରମରେ ମିଟ୍ସ ଗ୍ରୁପ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୀତାରାମ ପଣ୍ଡା, ଉପାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ୍ ପଣ୍ଡା, ନିର୍ଦ୍ଦେଶକ ପ୍ରଫେସର ଜି.କେ. ପଣ୍ଡା, ସୋଆ ବିଶ୍ୱବିଦ୍ୟାଳୟର ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚର ନିର୍ଦ୍ଦେଶକ ତଥା ମାଇକ୍ରୋବାୟୋଲୋଜିଷ୍ଟସ୍ ସୋସାଇଟି, ଇଣ୍ଡିଆର ଜାତୀୟ ସଂଯୋଜକ ପ୍ରଫେସର ଏଚ୍.ଏନ୍. ଥାଟ୍ଟୋଇ ଏମ୍ଏସ୍ବିର ଏମେରିଟସ୍ ପ୍ରଫେସର ପି.କେ. ବେହେରା, ସମ୍ମିଳନୀର ଆବାହକ ଡକ୍ଟର ରଶ୍ମି ରଞ୍ଜନ ମିଶ୍ର ଏବଂ ସହ-ଆବାହକ ଡକ୍ଟର ତପସ୍ୱିନୀ ନାୟକ ଉପସ୍ଥିତ ଥିଲେ ।
