ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ଥିଲା ସ୍ୱତନ୍ତ୍ର ପରିଚୟ । ନିଜର ମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ।
୧୯୫୮ ମସିହାରେ ‘ମା’ ଚଳଚ୍ଚିତ୍ରରୁ ନିଜର ସଙ୍ଗୀତ ସଫର ଆରମ୍ଭ କରିଥିବା ପ୍ରଣବ ପଟ୍ଟନାୟକ ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଜଗତକୁ ନିଜ ମଧୁର ସ୍ୱରରେ ସମୃଦ୍ଧ କରିଥିଲେ। ସେ କେବଳ ଚଳଚ୍ଚିତ୍ର ଗୀତ ନୁହେଁ, ବରଂ ଓଡ଼ିଶୀ, ଭଜନ, ସେମି-କ୍ଲାସିକାଲ୍, ଆଧୁନିକ, ପଲ୍ଲୀଗୀତ ଏବଂ ଗଜଲ୍ ଗାଇ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତିଥିଲେ । ତାଙ୍କର କିମ୍ବଦନ୍ତୀ ସଙ୍ଗୀତ ଗୁଡ଼ିକ ମଧ୍ୟରେ, “ମନ ମାନେନା”, “ସୀତା ରାମ ନାମ”, “ଆଉ ଛୁଆଁନା ଛୁଆଁନା” ଏବଂ “ତୁମେ ଜାଣନା କି ମୁଁ ଜାଣନା” ଭଳି କାଳଜୟୀ ଗୀତଗୁଡ଼ିକ ଅତ୍ୟନ୍ତ ଲୋକପ୍ରିୟ । ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ୨୦୧୬ ରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶାର କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
