ଉମରକୋଟ, ନିଜ ଜନ୍ମଦିନକୁ ସମାଜସେବା ସହ ଯୋଡ଼ି ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ସରସ୍ୱତୀ ଶିଶୁ ମନ୍ଦିରର ଚତୁର୍ଥ ଶ୍ରେଣୀର ଛାତ୍ରୀ ସୃତିଜା ସୁବୁଦ୍ଧି। ନିଜ ଜନ୍ମଦିନ ଅବସରରେ ସଞ୍ଚୟ କରିଥିବା ଅର୍ଥରେ ସେ ବିଦ୍ୟାଳୟରେ ଏକ ନୂତନ ପୁସ୍ତକାଳୟ ଉଦ୍ଘାଟନ କରିବା ସହ ପୁସ୍ତକ ଓ ବୁକ୍ ର୍ୟାକ୍ ପ୍ରଦାନ କରିଥିଲେ। ଏହା ସହିତ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ପ୍ରାୟ ୭୦୦ ଜଣ ଛାତ୍ରଛାତ୍ରୀଙ୍କୁ ଫଳ ବଣ୍ଟନ କରି ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନ ଗୁରୁଜୀ ଭାସ୍କର ମହାପାତ୍ର, ବାବୁଲି ସାର, ଶରତ ଗୁରୁଜୀଙ୍କ ସମେତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସୃତିଜାଙ୍କ ଜେଜେବାପା ପରମେଶ୍ୱର ସୁବୁଦ୍ଧି, ଜେଜେମା ଉମାଦେବୀ ସୁବୁଦ୍ଧି, ଅଜା ପ୍ରଫୁଲ୍ଲ ପାତ୍ର ଏବଂ ତାଙ୍କ ବାପା-ମା’ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏତେ କମ୍ ବୟସରେ ଶିକ୍ଷା, ପାଠପଢ଼ା ଓ ପରିବେଶ ସୁରକ୍ଷା ପ୍ରତି ସୃତିଜାଙ୍କ ଏହି ମହତ୍ ପଦକ୍ଷେପକୁ ଉମରକୋଟ ସହରର ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି।
