ବାଲିପାଟଣା: ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ବାଗଲପୁରଠାରେ ‘ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟ’ ଆନୁକୂଲ୍ୟରେ ଏବଂ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଦୁଇ ଦିନିଆ ଚତୁର୍ଥ ବାର୍ଷିକ ‘ମା’ କନକଦୁର୍ଗା ମହୋତ୍ସବ’ ସଫଳତାର ସହ ଉଦଯାପିତ ହୋଇଯାଇଛି। ଗତ ଅକ୍ଟୋବର ୧୦ ଏବଂ ୧୧ ତାରିଖ, ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ଏହି ସାଂସ୍କୃତିକ ମହୋତ୍ସବରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।ଆଦର୍ଶ ୟୁଥ୍ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଳୟ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁରେଶ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ ଯୋଗ ଦେଇଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ କବି ଭଗବାନ ସାହୁ, ଶିକ୍ଷାବିତ୍ ମୁରଲୀଧର ସାହୁ, ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଏବଂ ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ଟ୍ରଷ୍ଟର ଏଭଳି ସାମାଜିକ ତଥା ସାଂସ୍କୃତିକ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାକେଶ କୁମାର ନାୟକ , କୋଷାଧକ୍ଷ ଗୁରୁପ୍ରସାଦ ଦାସ ଏବଂ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଅଞ୍ଚଳରେ ଭାଇଚାରା ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାରେ ଏହି ମହୋତ୍ସବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ।ଏହି ସନ୍ଧ୍ୟାରେ ‘ରକର୍ସ ଦ ବ୍ୟାଣ୍ଡ’ ପକ୍ଷରୁ ଆୟୋଜିତ ଚିତ୍ତାକର୍ଷକ ମେଲୋଡି ଗୀତ ପରିବେଷଣ କରାଯାଇଥିଲା।
ଏହି ଅବସରରେ ଅଞ୍ଚଳର ପ୍ରତିଭାବାନ ବ୍ୟକ୍ତିତ୍ୱ ଏବଂ ଗ୍ରାମ୍ୟ କମିଟି ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ଟ୍ରଷ୍ଟ ପକ୍ଷରୁ ଗ୍ରାମର ବିକାଶ ପାଇଁ ଏଭଳି ଅଧିକରୁ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ ପ୍ରକାଶ କରିଥିଲେ।
